Categories: ଖେଳ

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ ତାରକା ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପାଲ୍ଲି କାଶ୍ୟପ ଉପରକୁ ଉଠିଛନ୍ତି। ସିନ୍ଧୁ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି। ଅନ୍ୟପଟେ କାଶ୍ୟପ ଭଲ ପ୍ରଦର୍ଶନ ଜାରି ରଖି ଟପ୍‌ ୨୫ରେ ସ୍ଥାନ ପାଇଛନ୍ତି। ଚାଇନା ଓପନ୍‌ ଓ କୋରିଆ ଓପନ୍‌ରେ ଆରମ୍ଭରୁ ବିଦାୟ ନେଇ ସିନ୍ଧୁ ୫ ମାସ ପରେ ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଛନ୍ତି। ଏବେ ସେ ଡେନମାର୍କ ଓପନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ରେ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ।
ପୂର୍ବତନ ୬ ନମ୍ବର ଖେଳାଳି କାଶ୍ୟପ ଗତ ସପ୍ତାହରେ କୋରିଆ ଓପନ୍‌ ସେମିଫାଇନାଲରେ ପ୍ରବେଶ କରି ର଼୍ୟାଙ୍କିଙ୍ଗ୍‌ରେ ୨୫ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟତମ ମହିଳା ତାରକା ଖେଳାଳି ସାଇନା ନେହ୍ବାଲ କୋରିଆ ଓପନ୍‌ରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ ମଧ୍ୟ ପୂର୍ବପରି ୮ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ସେହିପରି କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣିତ ଓ ସମୀର ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ନବମ, ଦ୍ୱାଦଶ ଓ ୧୭ତମ ସ୍ଥାନରେ ରହିଛନ୍ତି। ଥାଇଲାଣ୍ଡ ଓପନ୍‌ ବିଜେତା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପୂର୍ବପରି ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ମହିଳା ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ଗୋଟିଏ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନ ଅଧିକାର କରିଛନ୍ତି। ଏହି ଯୋଡି ମାଳଦ୍ୱୀପ ଓପନ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିଲେ।

Share