ବିଡ଼ମ୍ବିତ ଆଦିବାସୀଙ୍କ ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ
ଆଦିବାସୀ ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶରେ ମଧ୍ୟ ୫୫୦ଟି ସମ୍ପ୍ରଦାୟର ୧୦.୪୨ କୋଟି ଆଦିବାସୀ ବସବାସ କରନ୍ତି, ଯାହାକି ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଆଠ ଭାଗ। ଦେଶରେ ପ୍ରତି ବାର ଜଣରେ ଜଣେ ଆଦିବାସୀ ଥିବାବେଳେ ଆମ ରାଜ୍ୟରେ ପ୍ରତି ଚାରି ଜଣରେ ଜଣେ ଅର୍ଥାତ୍‌ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଆଦିବାସୀ। ଯଦିଓ ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବୋଲି ସ୍ବୀକୃତି ଦିଆଯାଇଛି ତଥାପି କୋଣ୍ଡାଦୋରା, ଶୁଦ୍ଧ ଶବର, ଝୋଡ଼ିଆ, କାନ୍ଧିଆ ପରି ଆହୁରି ଅନେକ ଗୋଷ୍ଠୀ ଆଦିବାସୀ ହେଲେ ବି ଏଯାଏ ସରକାରୀ ମାନ୍ୟତା ପାଇପାରି ନାହାନ୍ତି।
ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ବହୁ ତ୍ୟାଗ ଓ ବଳିଦାନ ସତ୍ତ୍ୱେ ୧୯୪୭ରେ ବ୍ରିଟିଶ ଯିବା ପରେ ସେମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିନି। ବ୍ରିଟିଶମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ତ ଫେରିଲାନି ବରଂ ତାକୁ ଆହୁରି କଡ଼ାକଡ଼ି କରି ସେମାନଙ୍କ ଉପରେ ଜଙ୍ଗଲ ବିଭାଗର ଅତ୍ୟାଚାର ବଢ଼ିଲା। କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦ ଆଦିବାସୀ ବିରୋଧୀ ତଥା ଉପନିବେଶବାଦୀ ମାନସିକତାକୁ ହିଁ ପ୍ରତିଫଳନ କରୁଥିଲା। ତେବେ ଆଦିବାସୀଙ୍କ ଦୀର୍ଘ ଲଢ଼େଇର ଫଳସ୍ବରୂପ ତତ୍କାଳୀନ ଉପା ସରକାର ଜଙ୍ଗଲ ଅଧିକାର ଆଇନ – ୨୦୦୬ ପ୍ରଣୟନ କରିଥିଲେ। ଏହା ପ୍ରଥମ ଥର ପାଇଁ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାରକୁ ସ୍ବୀକୃତି ଦେଲା, କିନ୍ତୁ ତାହା ସ୍ବୟଂସମ୍ପୂର୍ଣ୍ଣ ନ ଥିଲା। ଆଇନରେ ଜଙ୍ଗଲ ଜମିରେ ଚାଷବାସ କରି ରହୁଥିବା ଆଦିବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ, ପ୍ରାକୃତିକ ବାସସ୍ଥାନ, ସାଂସ୍କୃତିକ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଆଦି ଅନେକ ଅଧିକାର ଦେବା କଥା କୁହାଯାଇଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ବହୁ କମ୍‌ କ୍ଷେତ୍ରରେ ହିଁ ସେମାନେ ଆଇନ ପ୍ରଦତ୍ତ ଏସବୁ ଅଧିକାର ପାଇବାରେ ସକ୍ଷମ ହେଲେ। ଜଙ୍ଗଲ ଅଧିକାର ପାଇଁ କରାଯାଇଥିବା ଦାବି ଦରଖାସ୍ତକୁ ସରକାରୀ ଅଧିକାରୀମାନେ ମନଇଚ୍ଛା ଖାରଜ କରିଦେବା ଫଳରେ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ଲକ୍ଷ ଲକ୍ଷ ଆଦିବାସୀ ଓ ପାରମ୍ପରିକ ବନଜୀବୀ ନିଜର ଭିଟାମାଟିରୁ ଉଚ୍ଛେଦ ହେବାକୁ ଯାଉଛନ୍ତି। କେନ୍ଦ୍ର ସରକାର କର୍ପୋରେଟ୍‌ମାନଙ୍କ ସ୍ବାର୍ଥରେ ଗୋଟିଏ ପଟେ ଜଙ୍ଗଲ ଅଧିକାର ଆଇନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଭାରତୀୟ ଜଙ୍ଗଲ ଆଇନ- ୧୯୨୭କୁ ସଂଶୋଧନ କରି ତାକୁ ଅଧିକ କଡ଼ାକଡ଼ି କରିବା ସହିତ ଆଦିବାସୀଙ୍କ ଶୋଷଣ ଏବଂ ନିର୍ଯାତନା ପାଇଁ ଜଙ୍ଗଲ କର୍ମଚାରୀଙ୍କୁ ଏବେ ଆଗ୍ନେୟାସ୍ତ୍ର ଦେବା, ସନ୍ଦେହରେ କାହାରିକୁ ବି ଗୁଳି ଚଳାଇବା ଏବଂ ଆବଶ୍ୟକସ୍ଥଳେ ଜଙ୍ଗଲ ଅଧିକାରକୁ ଛଡ଼େଇ ନେବା ପରି ଅନେକ କ୍ଷମତା ଦେବାକୁ ଯାଉଛନ୍ତି।
ବିକାଶ ନାଁରେ ଦେଶର ଆଦିବାସୀ ଅଞ୍ଚଳରେ ଯେଉଁସବୁ ନଦୀବନ୍ଧ, ଖଣି, ଶିଳ୍ପ କାରଖାନା ଆଦି ନିର୍ମାଣ ହୋଇଛି ତା’ର ଲାଭ ସହର ଓ ମହାନଗରରେ ଥିବା ଠିକାଦାର, ଅଫିସର, ନେତା ଓ କମ୍ପାନୀମାନେ ମାରି ନେଇଥିବା ବେଳେ ଆଦିବାସୀଙ୍କ ଭାଗ୍ୟରେ କେବଳ ବିସ୍ଥାପନ ଓ ତଜ୍ଜନିତ ଦୁଃଖ ହିଁ ପଡ଼ିଛି। ଉପଯୁକ୍ତ, ପର୍ଯ୍ୟାପ୍ତ ଏବଂ ଆଗୁଆ କ୍ଷତି ପୂରଣ ବିନା ସେମାନଙ୍କୁ ଭିଟାମାଟିରୁ ବଳପୂର୍ବକ ବିସ୍ଥାପିତ କରାଯାଇଛି। ବିକାଶ ନାଁରେ ସେମାନଙ୍କୁ ଏକ ଉନ୍ନତ ଜୀବନ ଦେବା ବଦଳରେ ସେମାନଙ୍କଠାରୁ ସେମାନଙ୍କ ଜମି, ଜଙ୍ଗଲ ପରି ସମ୍ବଳକୁ ଛଡ଼େଇ ନେଇ ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ଭିତରକୁ ଠେଲି ଦିଆଯାଇଛି।
ଓଡ଼ିଶା ସମେତ ଦେଶର ଅଧିକାଂଶ ଆଦିବାସୀ ଆଜି ବି ଉତ୍କଟ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତାର ଶିକାର। ରାଜ୍ୟର ୯୦% ଆଦିବାସୀ ମହିଳା ଓ ୬୫% ଆଦିବାସୀ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର। ଶିକ୍ଷା, ସ୍ବାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍‌ ଆଦି ସର୍ବନିମ୍ନ ମୌଳିକ ସୁବିଧା ଆଜି ବି ସେମାନଙ୍କ ପାଇଁ ଏକ ରକମ ସ୍ବପ୍ନ ହୋଇ ରହିଛି। ନିରକ୍ଷରତା, ଅଧାରୁ ପାଠଛାଡ଼, ଶିଶୁ ଓ ମାତୃମୃତ୍ୟୁ ଆଦିର ହାରରେ ସେମାନେ ଅନ୍ୟମାନଙ୍କଠାରୁ ଅନେକ ଆଗରେ ରହିଛନ୍ତି।
ଆଦିବାସୀଙ୍କ ଜୀବନ, ଜୀବିକା, ଭାଷା ଓ ସଂସ୍କୃତି ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି। ଆମର ଶାସକ ଶ୍ରେଣୀ ସେମାନଙ୍କ ଭାଷା ଓ ସଂସ୍କୃତିର ସ୍ବାଧୀନ ବିକାଶ ପାଇଁ ସୁଯୋଗ ଦେବା ପରିବର୍ତ୍ତେ ତାକୁ ଦବେଇ ଦେଇ ଅନ୍ୟ ବହୁସଂଖ୍ୟକ ଭାଷାଭାଷୀଙ୍କ ଭିତରେ ବଳପୂର୍ବକ ସମ୍ମିଳିତ କରିବାର ନୀତିକୁ ଆପଣେଇ ଆସିଛନ୍ତି। ଦେଶରେ ରହିଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭାଷାକୁ ସ୍ବତନ୍ତ୍ର ଭାଷାର ମାନ୍ୟତା ଦେବା ପରିବର୍ତ୍ତେ ସେମାନଙ୍କୁ ଓଡ଼ିଆ, ତେଲୁଗୁ, ହିନ୍ଦୀ ପରି ଭାଷାଗୁଡ଼ିକ ଅଧୀନରେ ରହିବାକୁ ବାଧ୍ୟ କରାଯାଉଛି। ଆଦିବାସୀ ପିଲାଙ୍କୁ ନା ନିଜ ମାତୃଭାଷାରେ ଶିକ୍ଷା ଦିଆଯାଉଛି ନା ସେମାନଙ୍କ ଭାଷାରେ କୌଣସି ବହି କିମ୍ବା ପତ୍ରପତ୍ରିକା ପ୍ରକାଶ ପାଇଁ ସୁଯୋଗ ଦିଆଯାଉଛି। ଏପରିକି ଅନେକ ଆଦିବାସୀ ଭାଷାର ଲିପିକୁ ବି ବିକଶିତ କରିବାରେ ତଥା ସେସବୁ ଭାଷାର ସାହିତ୍ୟ ସୃଷ୍ଟି କରିବାରେ ଏବଂ ସେଥିପାଇଁ ଆର୍ଥିକ ଅନୁଦାନ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି।
ବିଶ୍ୱରେ ଆଦିବାସୀମାନଙ୍କ ଏହି ସଙ୍କଟମୟ ସ୍ଥିତିକୁ ଦେଖି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରି ଆସୁଛି। ତେବେ ଜମି, ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ ସହିତ ଶିକ୍ଷା, ସ୍ବାସ୍ଥ୍ୟସେବା ପରି ସମସ୍ତ ମୌଳିକ ସୁବିଧାର ଉପଲବ୍ଧତା ତଥା ସେମାନଙ୍କ ଭାଷା, ସଂସ୍କୃତିର ବିକାଶ ଏବଂ ସ୍ବୟଂଶାସନର ଅଧିକାର ପ୍ରଦାନ ବ୍ୟତୀତ ଆଦିବାସୀମାନଙ୍କ ପ୍ରକୃତ ବିକାଶ ଆଦୌ ସମ୍ଭବ ନୁହେଁ।
ମୋ- ୯୪୩୭୧୬୬୩୯୧, bhalachandra.odisha@gmail.com