ବିଡ଼ମ୍ବିତ ଜୟନ୍ତୀ ପାଳନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ପୁସ୍ତକ ‘ଚେଜିଂ ଦ ରେନ୍‌ବୋ’ରେ ଲିପିବଦ୍ଧ ତାଙ୍କର ବାଲ୍ୟକାଳର ଏକ ଗ୍ରାମ୍ୟ ସ୍ମୃତିରୁ ପ୍ରବନ୍ଧକୁ ଆରମ୍ଭ କରୁଛି। ସେ ଲେଖିଛନ୍ତି, ଆମ ଗାଁ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ କେହି ମଦ୍ୟପାନ କରୁ ନ ଥିଲେ। ସେତେବେଳେ ଗାଁରେ ଅନୁମତିପ୍ରାପ୍ତ କିମ୍ବା ବେଆଇନ ମଦଭାଟି ନ ଥିଲା। ମୁଁ ଗାଁ ଛାଡିବା ପର୍ଯ୍ୟନ୍ତ କେବଳ ଗୋଟିଏ ନାଟକରେ ଜଣେ ମଦ୍ୟପକୁ ଦେଖିଥିଲି। ସେତେବେଳେ ଏହା ଥିଲା ଗାଁର ଚିତ୍ର। ମାତ୍ର ଆଜି ଦୃଶ୍ୟପଟ ବଦଳିଯାଇଛି। କୌଣସି ଗାଁ ମଦମୁକ୍ତ ନୁହେଁ। ଗାଁମାନଙ୍କରେ ମଦର ବହୁଳ ପ୍ରସାର ହେବା ଦ୍ୱାରା ସରକାରଙ୍କ ରାଜସ୍ବ ବଢିଛି। ଉଭୟ ଅନୁମତିପ୍ରାପ୍ତ ଓ ବେଆଇନ ମଦ ଦୋକାନର ସଂଖ୍ୟା ବଢିଛି। ମଦ୍ୟପାନ କରିବା ଆଭିଜାତ୍ୟର ପ୍ରତୀକ ଭାବରେ ଗଣା ହେଲାଣି। ମଦ୍ୟପାନରୁ ସୃଷ୍ଟି ହେଉଛି ପାରିବାରିକ କଳହ। ହତ୍ୟାକାଣ୍ଡ, ବଳାତ୍କାର, ଅପରାଧ, ନାରୀ ଓ ଶିଶୁ ନିର୍ଯାତନା, ଯାନବାହନ ଦୁର୍ଘଟଣା ଓ ସ୍ବାସ୍ଥ୍ୟ ସଙ୍କଟ। ତା’ ସତ୍ତ୍ୱେ ସରକାର ସଫଳ ମଦ ବିକ୍ରେତାମାନଙ୍କୁ ପୁରସ୍କାର ଦେବା ପାଇଁ ଚିନ୍ତା କରୁଛନ୍ତି। ଗତ ନଭେମ୍ବରରେ ମେଳା, ସାମାଜିକ ଉତ୍ସବ, ସେନା କ୍ୟାମ୍ପ ଇତ୍ୟାଦି ସ୍ଥାନରେ ମଦ ଉପଲବ୍ଧ କରିବା ପାଇଁ ଅବକାରୀ ବିଭାଗ ଆଗ୍ରହୀ ମଦ ବିକ୍ରେତାମାନଙ୍କୁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି। ପୁଣି ସେଥିରେ ଉଲ୍ଲେଖ ଅଛି ଯେ ଏହାଦ୍ୱାରା ଅବକାରୀ ନିୟମ ପାଳିତ ହେବା ସଙ୍ଗେ ସଙ୍ଗେ ରାଜ୍ୟର ରାଜସ୍ବ ବଢିବ। ମୋଟ ଉପରେ କହିବାକୁ ଗଲେ ରାଜ୍ୟର ଉନ୍ନତି ପାଇଁ ଅର୍ଥର ଆବଶ୍ୟକତା ରହିଛି ଓ ସେହି ଅର୍ଥ ସହଜରେ ସଂଗ୍ରହ ହେବ ମଦ ବିକ୍ରୟରୁ। ଏଣୁ ସରକାର ମଦ ବିକ୍ରୟକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛନ୍ତି।
ଅନ୍ୟପକ୍ଷରେ ଚଳିତବର୍ଷ ସରକାର ମହାତ୍ମା ଗାନ୍ଧୀଙ୍କ ଜନ୍ମର ଶହେ ପଚାଶ ବର୍ଷ ପୂର୍ତ୍ତି ସାରା ଦେଶରେ ବିପୁଳ ଉତ୍ସାହରେ ପାଳନ କରୁଛନ୍ତି। ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଗାନ୍ଧୀ ବିଚାର ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଗାନ୍ଧୀବାଦ ଗବେଷକମାନେ ଅଭିଭାଷଣ ଦେଇ ନେତା ଓ ଜନତାଙ୍କୁ ଉଦ୍‌ବୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ଅତିଥିମାନେ ଓ ନେତାମାନେ ଗାନ୍ଧୀଙ୍କ ଗଳାରେ ଫୁଲମାଳ ଦେଇ ସାରେ ମଦରେ ଭୋଳ ରହୁଛନ୍ତି। ସାରା ଜୀବନ ସମାଜରୁ ନିଶା ନିବାରଣ କରିବା ପାଇଁ ଅଭିଯାନ ଚଳାଇଥିଲେ ଗାନ୍ଧୀ। ସ୍ବର୍ଗରେ ଥାଇ ଦେଖିବା ସମ୍ଭବ ହେଉଥିଲେ ଆଜି ଏହି ତଥାକଥିତ ଗାନ୍ଧୀ ଭକ୍ତମାନଙ୍କ ବ୍ୟବହାର ଓ ଶାସନ କଳର ମଦ ପ୍ରୋତ୍ସାହନ ଯୋଜନା ଦେଖି ଗାନ୍ଧୀ ଅଶ୍ରୁପାତ କରୁଥାନ୍ତେ। ଯେଉଁ ଯୁକ୍ତିକୁ ଆଧାର କରି ନେତାମାନେ ଓ ସରକାର ମଦ ବ୍ୟବହାର ସପକ୍ଷରେ ମତ ଦେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ମତ ସେ ସମ୍ପର୍କରେ କ’ଣ ଥିଲା ତାକୁ ଉଲ୍ଲେଖ କରିବା ହେଉଛି ଏହି ପ୍ରବନ୍ଧର ଲକ୍ଷ୍ୟ।
ଗୋଟିଏ ଯୁକ୍ତି ହେଲା ଯେଉଁମାନେ ସ୍ବଇଚ୍ଛାରେ ମଦ ପିଇବାକୁ ଚାହୁଁଛନ୍ତି ସେମାନଙ୍କୁ ସେହି ସୁବିଧା ମିଳିବା ଉଚିତ। ମଦରୁ ରାଜସ୍ବ ଆସୁଛି ଓ ତଦ୍ଦ୍ବାରା ଜନହିତକର କାର୍ଯ୍ୟ କରାହେଉଛି। ଲାଇସେନ୍ସପ୍ରାପ୍ତ ଦୋକାନରେ ମଦ ବିକ୍ରି ନ ହେଲେ ଚୋରାମଦ କାରବାର ବଢିବ। ଏହି ପ୍ରସଙ୍ଗରେ ଗାନ୍ଧିଜୀ ୧୯୨୫ ମାର୍ଚ୍ଚ ୧ ତାରିଖର ‘ନବ ଜୀବନ’ରେ ଲେଖିଥିଲେ ଯେ ମଦ୍ୟପାନ ଏକ ଅପରାଧ ଭାବେ ବିବେଚିତ ହେବା ଉଚିତ। କାରଣ ଯାହା ଜୀବନ ପାଇଁ କ୍ଷତିକାରକ, ତାର ପ୍ରସ୍ତୁତି ବା ବିକ୍ରି ପାଇଁ କୌଣସି ବ୍ୟକ୍ତିର ଅଧିକାର ନାହିଁ। କୌଣସି ବ୍ୟକ୍ତିକୁ ବ୍ୟକ୍ତିଗତ ସ୍ବାଧୀନତା ନାମରେ ଯେପରି ଚୋରି କରିବା ପାଇଁ ଛାଡିଦିଆଯାଏ ନାହିଁ ସେହିପରି ମଦ ପ୍ରସ୍ତୁତି, ବିକ୍ରି ପାଇଁ ମଧ୍ୟ ସ୍ବାଧୀନତା ଦିଆଯାଇ ନ ପାରେ। ଯେଉଁମାନେ ମଦ ପିଇବେ ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି ଓ ଆଇନ ଅନୁସାରେ ସେମାନେ ଦଣ୍ଡିତ ହେବା ଉଚିତ। ଗାନ୍ଧିଜୀ ପୁଣି କହିଥିଲେ ସ୍ବାଧୀନତାର ଅର୍ଥ ନୁହେଁ ଅନ୍ୟର ଅନିଷ୍ଟ କରିବା। ଗୋଟିଏ ଉଦାହରଣ ଦେଇ ସେ କହିଥିଲେ ନିଜ ଜମିକୁ ଖୋଳିଦେବାର ଅଧିକାର ମାଲିକର ଥାଇପାରେ। ମାତ୍ର ସେ ଏଭଳି ଖୋଳିପାରିବ ନାହିଁ ଯାହାଦ୍ୱାରା ପଡୋଶୀ ଘରର ମୂଳଦୁଆ ଭୁଶୁଡି ପଡିବ। ଯେଉଁମାନେ ମଦ ପିଅନ୍ତି ତା’ର କୁଫଳ ତା’ର ପରିବାର ଓ ପଡୋଶୀ ମଧ୍ୟ ଭୋଗ କରନ୍ତି।
କିଛି ଲୋକ ଯୁକ୍ତି କରନ୍ତି ମଦ ବିକ୍ରିରୁ ଯେଉଁ ରାଜସ୍ବ ଆସୁଛି ସେଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ଅନେକ ସ୍କୁଲ କଲେଜ ଚାଲୁଛି। ଶିକ୍ଷାର ପ୍ରସାର ଘଟୁଛି। ମାତ୍ର ଗାନ୍ଧିଜୀ ୧୯୨୭ ମସିହାରେ ୟଙ୍ଗ ଇଣ୍ଡିଆରେ କହିଥିଲେ, ଭାରତରେ ଅବକାରୀ ରାଜସ୍ବ ବୃଦ୍ଧି ପାଇଁ ଲକ୍ଷ ଲକ୍ଷ ଲୋକ ମଦ୍ୟପ ହେବା ଅପେକ୍ଷା ଆମ ଦେଶ ନିଜ ପିଲାଙ୍କ ଶିକ୍ଷା ବାବଦ ବ୍ୟୟ ତୁଳାଇ କାଙ୍ଗାଳ ହୋଇଯିବା ବରଂ ଶ୍ରେୟସ୍କର। ପିଲାଙ୍କ ପାଠପଢା ଖର୍ଚ୍ଚ ସରକାର ଭରଣ କରିବା ପାଇଁ ଦେଶରେ ମଦୁଆଙ୍କ ସଂଖ୍ୟା ବଢାଇବା ଅପେକ୍ଷା ଆମ ଦେଶର ପିଲାଏ ମୂର୍ଖ ରହିବାକୁ ବରଂ ମୁଁ ଅଧିକ ପସନ୍ଦ କରିବି। ଅବକାରୀ ଭଳି ଘୃଣିତ ଓ ପାପପୂର୍ଣ୍ଣ ରାଜସ୍ବ ଆୟଠାରୁ ବଳି ଅଧିକ ଅନୈତିକ ବ୍ୟାପାର ଆଉ କିଛି ନାହିଁ। (ଅନୁବାଦ-ପ୍ରହଲ୍ଲାଦ ସିଂହ)। ଗାନ୍ଧୀଙ୍କ ମତରେ ଆର୍ଥିକ କ୍ଷତିଠାରୁ ନୈତିକ ଅଧଃପତନ ବେଶି ଗୁରୁତର। ମଦ୍ୟପ ସ୍ତ୍ରୀ, ମା’ ଓ ଭଉଣୀ ମଧ୍ୟରେ ପାର୍ଥକ୍ୟ ଭୁଲିଯାଏ ଓ ପାପାଚରଣ କରେ। ସେ ବିବେକଭ୍ରଷ୍ଟ ହୁଏ। ଖାଇବା, ପିଇବା ଓ ଆନନ୍ଦ କରିବା ପାଇଁ ବଞ୍ଚି ରହିବା ଜୀବନର ଲକ୍ଷ୍ୟ ନୁହେଁ। ଏହି ଦେହ ହେଉଛି ଈଶ୍ୱରଙ୍କ ମନ୍ଦିର ଓ ମନୁଷ୍ୟ ଜାତିର ମଙ୍ଗଳ ପାଇଁ ତା’ର ବିନିଯୋଗ କରିବା ପାଇଁ ଯେଉଁ ଖାଦ୍ୟ ଓ ପାନୀୟ ଆବଶ୍ୟକ ତାହା ଗ୍ରହଣ କରିବା ଉଚିତ ବୋଲି ସେ ମନେ କରୁଥିଲେ। ‘ହରିଜନ’ ପତ୍ରିକାରେ ବିଭିନ୍ନ ସମୟରେ ନିଶା ନିବାରଣ ସମ୍ପର୍କରେ ଗାନ୍ଧିଜୀଙ୍କ ଅନେକ ଲେଖା ପ୍ରକାଶ ପାଇଥିଲା। ଭାରତ ସ୍ବାଧୀନତା ପାଇବା ପରେ ସେ ନିଶା ନିବାରଣ ସମ୍ପର୍କରେ ଲେଖିଥିଲେ, ଜନସାଧାରଣଙ୍କ ସରକାର ପ୍ରତିଷ୍ଠିତ ହେବା ପରେ ପ୍ରତ୍ୟେକ ରାଜ୍ୟ ନିଶା ନିବାରଣ ଭଳି ସଂସ୍କାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ମଦ ଓ ଅଫିମରେ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଅପବ୍ୟୟ ଓ ଆତ୍ମସଂଯମକୁ ନଷ୍ଟ କରିବ।
୧୯୨୯ ଏପ୍ରିଲ ୪ ତାରିଖରେ ଗାନ୍ଧିଜୀ ୟଙ୍ଗ ଇଣ୍ଡିଆରେ ମଦର ଭୟଙ୍କର ପ୍ରଭାବ ସମ୍ପର୍କରେ ସୂଚନା ଦେବା ପାଇଁ ଶ୍ରୀକୃଷ୍ଣଙ୍କ ଯଦୁବଂଶ ଧ୍ୱଂସ ଓ ରୋମ୍‌ ସାମ୍ରାଜ୍ୟ ପତନର ଅବତାରଣା କରିଥିଲେ। ଶ୍ରୀକୃଷ୍ଣଙ୍କ ପୁଅମାନେ ସୁରାପାନ କରି ପରସ୍ପର ମଧ୍ୟରେ କଳହ କଲେ, ଯାହା କ୍ରମେ ଏକ ଭୟଙ୍କର ଯୁଦ୍ଧର ରୂପ ନେଲା ଓ ଶେଷରେ ସମସ୍ତେ ପ୍ରାଣ ହାରିଲେ। ଜଗନ୍ନାଥ ଦାସଙ୍କ ଭାଷାରେ ‘ବେଣୁ ଅନଳେ ବେଣୁ ଯେହ୍ନେ, ଯାଦବେ ନାଶ ଗଲେ ତେହ୍ନେ।’ ସେହି ସ୍ଥାନଟି ଥିଲା ଏରକା ବନ। କବି ସୀତାକାନ୍ତ ମହାପାତ୍ର ସାମ୍ପ୍ରତିକ ସମୟର ସ୍ଥିତିକୁ ଲକ୍ଷ୍ୟକରି ଦିନେ ଲେଖିଥିଲେ ହୋ ହୋ ଘୋ ଘୋ ଚିତ୍କାର ଓ ମଣିଷର ବିକଳ କ୍ରନ୍ଦନ/ଭୟଙ୍କର ଶବ୍ଦେ ଭରେ ଅଭିଶପ୍ତ ଏରକାର ବନ। (ମୃତ୍ୟୁନାଚ)। ମହାକବି ବ୍ୟାସଦେବ ଶ୍ରୀମଦ୍‌ ଭାଗବତରେ ମଦକୁ କଳହର କାରଣ ଭାବରେ ଏକ ପ୍ରତୀକାତ୍ମକ ଉପାଖ୍ୟାନ ପରିବେଷଣ କରିଛନ୍ତି। ସରସ୍ବତୀ ନଦୀ କୂଳରେ ରାଜା ପରିକ୍ଷିତ ଭ୍ରମଣ କରୁଥାନ୍ତି। ତାଙ୍କ ଦୃଷ୍ଟିପଥରେ ପଡିଲେ ଗୋଟିଏ ରୁଗ୍‌ଣ ଗାଈ ଓ ତିନୋଟି ଗୋଡ ଭାଙ୍ଗିଯାଇଥିବା ବୃଷଭ। ସେହି ବୃଷଭ ଥିଲେ ଧର୍ମର ପ୍ରତୀକ। ତାଙ୍କର ଚାରୋଟି ଗୋଡ ହେଲା ତପ, ଶୌଚ, ଦୟା ଓ ସତ୍ୟ । କେବଳ ସତ୍ୟକୁ ଛାଡି ଅନ୍ୟ ତିନୋଟି ଗୋଡ ଭାଙ୍ଗି ସାରିଥିଲା। ସେହି ସମୟରେ ରାଜା କଳି ସେହି ସତ୍ୟ ଗୋଡ ଉପରେ ପ୍ରହାର କରୁଥାନ୍ତି। ଏହି ଦୃଶ୍ୟ ଦେଖି ପରିକ୍ଷିତ ଅତ୍ୟାଚାରୀ କଳିକୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତେ କଳି ପରିକ୍ଷିତଙ୍କ ଶରଣାପନ୍ନ ହୋଇ କହିଲା, ମହାରାଜ! ମୋତେ ହତ୍ୟା କରନ୍ତୁ ନାହିଁ। ମୋତେ କେତୋଟି ସ୍ଥାନ ଦିଅନ୍ତୁ। ମୁଁ କେବଳ ସେହି ସ୍ଥାନରେ ନିବାସ କରିବି। ଅନ୍ୟତ୍ର ଯିବି ନାହିଁ। କଳି ଯେଉଁ ପାଞ୍ଚୋଟି ସ୍ଥାନ ମାଗିଥିଲା ଓ ପରିକ୍ଷିତ ସେହି ସ୍ଥାନଗୁଡିକ ଦେଇଥିଲେ ସେଥିମଧ୍ୟରୁ ଗୋଟିଏ ଥିଲା ମଦ୍ୟପାନ। ଅନ୍ୟ ଚାରିଗୋଟି ହେଲା ଦ୍ୟୁତକ୍ରୀଡା, ପ୍ରାଣିହିଂସା, କାମିନୀ ଓ ସୁବର୍ଣ୍ଣ।
ମଦ୍ୟପାନରୁ କଳହର ସୂତ୍ରପାତ ହୁଏ, ଏହି କଥା ସୂଚାଇଥିଲେ ବ୍ୟାସ ଉକ୍ତ ପ୍ରତୀକାତ୍ମକ ଉପାଖ୍ୟାନ ମାଧ୍ୟମରେ ଏବଂ ଆଜି ସମାଜରେ ଏହାର ବହୁଳ ଉଦାହରଣ ଦେଖିବାକୁ ମିଳୁଛି। ପୁନଶ୍ଚ ମଦ ସହ ମାଂସ ଭକ୍ଷଣ, ବାରାଙ୍ଗନା ଗମନ, ଦ୍ୟୁତକ୍ରୀଡା ଓ ଚୌର୍ଯ୍ୟବୃତ୍ତିର ସମ୍ବନ୍ଧ ଥିବା କାଳିଦାସଙ୍କ ବିଷୟରେ ଏକ କିମ୍ବଦନ୍ତୀ ଅଛି। ରାଜା ବିକ୍ରମାଦିତ୍ୟଙ୍କ ରାଜସଭାର ପଣ୍ଡିତମାନେ ଥରେ ଚାରିପାଦ ବିଶିଷ୍ଟ ଗୋଟିଏ ଶ୍ଳୋକର ପ୍ରଥମ ତିନୋଟି ପାଦ ପୂରଣ କରିପାରୁ ନ ଥିଲେ। ଶ୍ଳୋକଟିର ଚତୁର୍ଥ ପାଦଟି ଥିଲା, ନଷ୍ଟସ୍ୟ କାନ୍ୟା ଗତିଃ। ଦିନେ ମହାକବି କାଳିଦାସ ଭିକ୍ଷୁ ବେଶରେ ଗୋଟିଏ ହାତରେ ଖଡ୍‌ଗ ଓ ଅନ୍ୟ ହାତରେ ଛେଳିଟିଏ ଧରି ଗଛମୂଳରେ ବସିଥାନ୍ତି। ତାଙ୍କୁ ପ୍ରଶ୍ନ କରାଗଲା ହେ ଭିକ୍ଷୁ, ଆପଣ କ’ଣ ମାଂସ ଭକ୍ଷଣ କରନ୍ତି? କାଳିଦାସ ଉତ୍ତର ଦେଲେ, କିଂ ତେନ ମଦ୍ୟଂ ବିନା? (ଅର୍ଥାତ୍‌ ମଦ ନ ହେଲେ କ’ଣ ଖାଲି ମାଂସରେ ଚଳିବ?) ପୁଣି ପଚରାଗଲା, ମଦ୍ୟ ଚାପି ତବ ପ୍ରିୟମ୍‌? (ମଦ୍ୟ ବି ଆପଣଙ୍କ ପ୍ରିୟ?) କାଳିଦାସ କହିଲେ, ପ୍ରିୟମହୋ ବାରାଙ୍ଗନାଭିଃ ସହ। (ବାରାଙ୍ଗନାମାନେ ବି ମୋର ପ୍ରିୟ।) ପରବର୍ତ୍ତୀ ପ୍ରଶ୍ନଟି ଥିଲା ଆପଣ ବାରାଙ୍ଗନାକୁ ସନ୍ତୁଷ୍ଟ କରିବା ପାଇଁ ଏତେ ଅର୍ଥ କେଉଁଠୁ ପାଆନ୍ତି? କାଳିଦାସ ଉତ୍ତର ଦେଲେ, ଚୌର୍ଯ୍ୟେଣ ଦ୍ୟୁତେନ ବା। (ଦ୍ୟୁତକ୍ରୀଡା ଓ ଚୌର୍ଯ୍ୟବୃତ୍ତିରୁ ଧନ ସଂଗ୍ରହ କରେ।) ସମସ୍ତେ ଏହି ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେବାରୁ କାଳିଦାସ କହିଲେ, ନଷ୍ଟସ୍ୟ କାନ୍ୟା ଗତିଃ? ଅର୍ଥାତ୍‌ ନଷ୍ଟଚରିତ୍ରର ଆଉ ଅନ୍ୟ ଗତି କ’ଣ? ଶ୍ଲୋକଟିକୁ ପୂର୍ଣ୍ଣ ରୂପ ଦେବା ପାଇଁ ଏହା ଥିଲା କାଳିଦାସଙ୍କ ଅଭିନୟ। ମହାତ୍ମା ଗାନ୍ଧୀ ମଦର ଏହିସବୁ ପ୍ରଭାବ ସମ୍ପର୍କରେ ଅବଗତ ଥିଲେ ଓ ସେ ଅନୁଭବ କରିଥିଲେ ଯେ ମଦ୍ୟପାନ ଯୋଗୁ ନୈତିକ, ଆଧ୍ୟାତ୍ମିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଜୀବନ ଦୁର୍ବିଷହ ହୋଇପଡେ। ଏଣୁ ନିଶା ନିବାରଣ ସରକାରଙ୍କ କାମ ଓ ଏହାର କ୍ରିୟାନ୍ବୟନ ପାଇଁ ସହଯୋଗ କରିବା ସଚେତନ ନାଗରିକମାନଙ୍କ ଧର୍ମ। ମାତ୍ର ବିଡମ୍ବନାର ବିଷୟ ଯେ ତାଙ୍କ ଜନ୍ମର ଶହେ ପଚାଶ ବର୍ଷ ପୂର୍ତ୍ତି ପାଳିତ ହେଉଥିବା ସମୟରେ ମଦ ବିକ୍ରିକୁ ପ୍ରୋତ୍ସାହନ ଦିଆଯାଇ ତାଙ୍କ ସ୍ବପ୍ନର ମଦ ମୁକ୍ତ ଭାରତକୁ ଧୂଳିସାତ୍‌ କରାଯାଉଛି।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri