ବିଡିଏ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିସମେଣ୍ଟ) ବିଭୂତି ଭୂଷଣ ରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ରାୟଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସ ଆଦି ସ୍ଥାନରେ ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ରସୁଲଗଡ଼ଠାରେ ଥିବା ଗୋଟିଏ ୩ ମହଲା କୋଠା, ଝାରପଡ଼ାଠାରେ ଥିବା ଅନ୍ୟଏକ ୩ ମହଲା କୋଠା ଓ ଦୁଇଟି ଅନ୍ୟ କୋଠା ରହିଛି। ଏହାବାଦ ରାୟଙ୍କ ବିରିବାଟିସ୍ଥିତ ଗଁା ଘର ଓ ବିଡିଏ ଅଫିସକୁ ଭିଜିଲାନ୍ସ ଏକକାଳୀନ ଯାଞ୍ଚ କରିଛି। ଉପରୋକ୍ତ ସ୍ଥାନଗୁଡ଼ିକ ଯାଞ୍ଚ କରାଯିବା ପରେ ମୋଟ ୧ କୋଟି ୩୮ ଲକ୍ଷ ୮ହଜାର ୭୭୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମସ୍ତ ସମ୍ପତ୍ତି ରାୟ ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଠାବ ସମ୍ପତ୍ତିଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ଆକଳନ କରାଯାଇଛି। ଏହି ଅନୁଯାୟୀ ରାୟଙ୍କ ରସୁଲଗଡ଼ ଓ ଝାରପଡ଼ାଠାରେ ଥିବା ଦୁଇଟି ୩ ମହଲା କୋଠାର ମୂଲ୍ୟ ୭୦ ଲକ୍ଷ ୩୬ ହଜାର ୨୬୩ ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି। ସେହିପରି ରସୁଲଗଡ଼ଠାରେ ତାଙ୍କର ୨ ଲକ୍ଷ ୮୨ହଜାର ୯୦୬ ଟଙ୍କାର ଗୋଟିଏ ନିର୍ମାଣାଧୀନ କୋଠା, ରସୁଲଗଡ଼ରେ ୨ ଲକ୍ଷ ୫୧ ହଜାର ୫୦୦ ଟଙ୍କାର ୩ଟି ପ୍ଲଟ, ୫ ଲକ୍ଷ ୩୦ହଜାର ଟଙ୍କାର ଗୋଟିଏ କାର୍‌, ୬୫ହଜାର ଟଙ୍କାର ଗୋଟିଏ ବାଇକ୍‌କୁ ଭିଜିଲାନ୍ସ ଠାବ କରିଛି। ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ରାୟ ୪୪ ଲକ୍ଷ ୫୦ହଜାର ୫୩ ଟଙ୍କା ଜମା ରଖିଥିବାବେଳେ ୭ ଲକ୍ଷ ଟଙ୍କାର ସୁନା, ରୁପା ଗହଣାକୁ ଭିଜିଲାନ୍ସ ଠାବ କରିଛି। ଏହାବାଦ୍‌ ତାଙ୍କ ଘରୁ ୪ ଲକ୍ଷ ୯୨ହଜାର ୪୧୫ ଟଙ୍କାର ଆସବାବପତ୍ରକୁ ଭିଜିଲାନ୍ସ ଠାବ କରିଛି। ରାୟଙ୍କ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଥିବା ସୂଚନା ମିଳିଛି।

Share