ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏହାକୁ ପ୍ରତିହତ ପାଇଁ ପ୍ରଚେଷ୍ଟା ଜାରିରହିଛି। ମାତ୍ର ଦାରିଙ୍ଗବାଡ଼ିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଡିଓ ମାତାରାମ ଲେୟାଙ୍ଗି ନିଜ ଦାୟିତ୍ୱ ସଠିକ୍‌ ଭାବେ ତୁଲାଇ ପାରି ନ ଥିବା ଦର୍ଶାଇ ଜିଲାପାଳ ଶନିବାର ତାଙ୍କୁ ତାଙ୍କ କାର୍ଯ୍ୟରୁ ହଟାଇ ଦେଇଛନ୍ତି। ବିଡିଓ ଲେୟାଙ୍ଗିଙ୍କୁ ଫୁଲବାଣୀ ଡିଆରଡିଏ କାର୍ଯ୍ୟାଳୟକୁ ଫେରାଇ ନେଇଥିବା ବେଳେ ତାଙ୍କ ସ୍ଥାନରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଡେପୁଟି କଲେକ୍ଟର ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଦାରିଙ୍ଗବାଡ଼ି ବିଡିଓ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଜିଲାପାଳଙ୍କ ଚିଠି ସଂଖ୍ୟା-୧୯୭୩ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଦାରିଙ୍ଗବାଡ଼ିରେ କରୋନା ସଂକ୍ରମିତ ମୁକାବିଲା ପାଇର୍ଁ ଜିଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଇ କିଭଳି ଏହି ଭୂତାଣୁ ଅଞ୍ଚଳରେ ସଂକ୍ରମଣ ନ ହେବ ସେନେଇ ସଚେତନ କରାଉଛନ୍ତି। ଏଥିସହ ଗାଁ ଗାଁରେ ବାହାର ରାଜ୍ୟରୁ ଘରକୁ ଫେରୁଥିବା ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇବା ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ଦାୟିତ୍ୱ ବିଡିଓମାନେ ତୁଲାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ସରକାରଙ୍କ ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦେଶକୁ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଜିଲାପାଳ ହୃଦୟଙ୍ଗମ କରିବା ସହ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଚଳିତମାସ ୧୨ ତାରିଖରେ ନୂତନ ବିଡିଓ ଭାବେ ଲେୟାଙ୍ଗି ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ।

Share