ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖାଦ୍ୟ ସଂଗ୍ରହ ଲାଗି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଫୁଡ୍‌ ବ୍ୟାଙ୍କ ସମ୍ମୁଖରେ ଛିଡ଼ାହୋଇ ରହୁଛନ୍ତି। ସେହିପରି ସରକାରୀ ହସ୍ପିଟାଲରେ ଶଯ୍ୟାର ଅଭାବ ଯୋଗୁ ବହୁ ସଂକ୍ରମିତ କାର୍‌, ଆମ୍ବୁଲାନ୍ସ୍‌, ଘରେ ଅବା ରାସ୍ତାକଡ଼ରେ ଏକୁଟିଆ କ୍ୱାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଅର୍ଥର ଅଭାବ ଯୋଗୁ ବହୁ ଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରୁ ନାହାଁନ୍ତି। କ୍ୱାରାଣ୍ଟାଇନ୍‌ରେ ରହିଥିବା ସମୟରେ ଭୋକ ଉପାସ ଏବଂ ଆବଶ୍ୟକ ଔଷଧ ନ ମିଳୁ ଥିବାରୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ସରକାରୀ ଯାଞ୍ଚ୍‌ ଟିମ୍‌ ସେମାନଙ୍କ ପାଖରେ ପହଞ୍ଚିବା ବେଳକୁ ମୃତଦେହଗୁଡ଼ିକ ପଚିସଢ଼ି ଯାଉଥିବା ମଧ୍ୟ କୁହାଯାଉଛି। ଲଗାତାର ମୃତକଙ୍କ ସଂଖ୍ୟା ବଢୁଥିବାରୁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ଅର୍ଥ ଅଭାବରୁ ପରିବାର ସଦସ୍ୟ ନିଜ ପ୍ରିୟପରିଜନଙ୍କ ଅନ୍ତିମ ସଂସ୍କାର ନ କରି ପାରି ମୃତଦେହ ଗୁଡ଼ିକୁ ସରକାରୀ ଟିମ୍‌ ସାହାରାରେ ରାସ୍ତାକଡ଼ରେ ରଖି ଚାଲି ଯାଉଥିବା ଦେଖିବାକୁ ମିଳୁଛି।

Share