ଡ. ରମେଶ ଚନ୍ଦ୍ର ପରିଡ଼ା
ସା କାଳକୁ ଆମେ ଗୋଧୂଳି ସମୟ ବୋଲି କହୁ। କାରଣ ଆଗେ ଏହି ସମୟରେ ଗ୍ରାମାଞ୍ଚଳରେ ଗୋରୁଗାଈ ଗୋଠରୁ ଫେରୁଥିଲେ ଏବଂ ତାଙ୍କ ଖୁରାଘାତରେ ଉଡୁଥିବା ଧୂଳି ଆକାଶକୁ ଆଚ୍ଛାଦିତ କରୁଥିଲା। ସେଥିପାଇଁ କବି ସାକାଳର ବର୍ଣ୍ଣନା କରିବାକୁ ଯାଇ ଲେଖିଥିଲେ, ‘ଧୂଳି ଉଡ଼ାଇଣ ଦାଣ୍ଡେ ଦେଇ ହମ୍ବାରଡ଼ି, ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି।’ ତେବେ ଆଜିକାଲି ଏ ଦୃଶ୍ୟ ବିରଳ ହେଲାଣି। ଦିନକୁଦିନ ହ୍ରାସ ପାଇ ଚାଲିଥିବା ଗୋସମ୍ପଦ ଏହାର କାରଣ। ଏକ ଆକଳନ ଅନୁସାରେ ୧୯୫୧ ମସିହା ବେଳକୁ ଆମ ଦେଶରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଗୋରୁଗାଈ ସଂଖ୍ୟା ୪୩୦ ଥିଲାବେଳେ, ୧୯୬୧ରେ ତାହା ୪୦୦, ୧୯୭୧ରେ ୩୨୬, ୧୯୮୧ରେ ୨୭୮, ୧୯୯୧ରେ ୨୦୨, ୨୦୦୧ରେ ୧୧୦ ଏବଂ ୨୦୧୧ରେ ମାତ୍ର ୨୦କୁ ଖସି ଆସିଥିଲା। ଏବେ ଏ ଧାରା ଅବ୍ୟାହତ ରହିଛି। ମୁଣ୍ଡ ପିଛା ଚାଷ ଜମି ହ୍ରାସ ଏବଂ ଯାନ୍ତ୍ରିକ କୃଷିର ପ୍ରସାର ଫଳରେ ବଳଦଙ୍କ ସଂଖ୍ୟା ଦ୍ରୁତ କମିଯିବା ଏହାର ଅନ୍ୟତମ ମୁଖ୍ୟ କାରଣ।
ସମୟ ଥିଲା, ଯେତେବେଳେ ଖେତକୁ ହଳ କରିବା, ମଇ ଦେବା, କାଦୁଅ କରିବାଠାରୁ ଆରମ୍ଭକରି ବେଙ୍ଗଳା ପକାଇ ଫସଲ ଅମଳ କରିବା, ବୋଝ ବୋହିବା, ଗାଡ଼ି ଟାଣିବା ଆଦି ବିଭିନ୍ନ କାର୍ଯ୍ୟରେ ବଳଦଙ୍କୁ ବ୍ୟବହାର କରାଯାଉଥିଲା। ସେଥିପାଇଁ ବଜାରରେ ଗାଈ ତୁଳନାରେ ତାଙ୍କର ଦାମ୍ ଥିଲା ଅଧିକ। କିନ୍ତୁ ଏସବୁ କ୍ଷେତ୍ରରେ ଏବେ ଅନୁସୃତ ହେଲାଣି ବିବିଧ ଯାନ୍ତ୍ରିକ ବ୍ୟବସ୍ଥା। ଏଣୁ ଆଗେ ଯେପରି ଘରେ ଘରେ ଗୋପାଳନ କରାଯାଉଥିଲା ତାହା ଏବେ ଆଉ ନାହିଁ। ଅନ୍ୟପକ୍ଷରେ ବଳଦଗୁଡିକୁ ଅସମୟରେ ପଠାଇ ଦିଆଯାଉଛି କଂସେଇଖାନାକୁ। ୨୦୦୩ରେ ଆମ ଦେଶରେ ଗୋରୁ ସଂଖ୍ୟା ପ୍ରାୟ ୭.୭୫ କୋଟି ଥିଲା ବେଳେ ୨୦୧୨ରେ ତାହା ପହଞ୍ଚିଥିଲା ୬.୧୯ କୋଟିରେ। ଏବେ ଏହି ସଂଖ୍ୟା ଆହୁରି ତଳକୁ ଖସି ସାରିବଣି। ପୁନଶ୍ଚ ମଇଁଷି ସମେତ ଅନ୍ୟାନ୍ୟ ପ୍ରାଣୀସମ୍ପଦର ଅବସ୍ଥା ମଧ୍ୟ ଏଥିରୁ ଭିନ୍ନ ନୁହେଁ।
ବିଗତ ୨୦୧୪ ମସିହାରେ ଆମ ରାଜ୍ୟରେ ଅନୁଷ୍ଠିତ ୧୯ତମ ଲାଇଭଷ୍ଟକ୍ ସେନ୍ସସ୍ ବା ଗୋ-ମହିଷାଦି ପଶୁ ଗଣନାର ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଅନୁସାରେ ଓଡ଼ିଶା ସମଗ୍ର ଦେଶର ୬.୦୯ ଶତାଂଶ ଗୋ-ସମ୍ପଦର ଅଧିକାରୀ ହୋଇଥିଲା ବେଳେ ୨୦୦୭ରୁ ୨୦୧୨ ମସିହା ମଧ୍ୟରେ ଏହା ୫.୫୯ ଶତାଂଶକୁ ହ୍ରାସ ପାଇଛି। ବିଶେଷକରି ବଳଦ ଓ ମଇଁଷିଙ୍କ କ୍ଷେତ୍ରରେ ଏହା ଅଧିକ ଘଟିଛି। ଅନ୍ୟପକ୍ଷରେ ବିଦେଶୀ ବା ସଙ୍କର ଜାତୀୟ ଗାଈ ଓ ବଳଦଙ୍କ ସଂଖ୍ୟା ୧.୭ ନିୟୁତରୁ ୧.୩ ନିୟୁତକୁ ଖସି ଆସିଥିଲାବେଳେ (୨୩ ଶତାଂଶ ହ୍ରାସ), କେବଳ ଗାଈମାନଙ୍କ ସଂଖ୍ୟା ୧୯ ଶତାଂଶ ବୃଦ୍ଧିପାଇଛି। ଅତଏବ ଆମ ଗୋ-ସମ୍ପଦ ଯାହା କମିଛି ତାହା କେବଳ ବଳଦମାନଙ୍କ ସଂଖ୍ୟା ହ୍ରାସ ଯୋଗୁ। ଅନୁରୂପ ଘଟିଛି ମଇଁଷିମାନଙ୍କ କ୍ଷେତ୍ରରେ। ଉଭୟ ମାଈ ଓ ଅଣ୍ଡିରା କଥା ବିଚାରକୁ ନେଲେ ୨୦୦୭ ତୁଳନାରେ ୨୦୧୨ ମସିହା ବେଳକୁ ଏମାନଙ୍କ ସମୁଦାୟ ସଂଖ୍ୟା ୩୯ ଶତାଂଶ ହ୍ରାସ ପାଇଛି। କିନ୍ତୁ ମାଈମାନଙ୍କ କ୍ଷେତ୍ରରେ ଏହା ୩୩ ଶତାଂଶ। ସେହିପରି ଛେଳି ଓ ମେଣ୍ଢାଙ୍କ ସଂଖ୍ୟାର ଏ ଅଧୋଗତି ଯଥାକ୍ରମେ ୮.୬୧ ଓ ୧୩.୦୪ ଶତାଂଶ (ସମୁଦାୟ ପ୍ରାୟ ୧.୩୫ କୋଟିରୁ ୧.୨ କୋଟି) ହେଲାବେଳେ କୁକୁଡା ଓ ଘୁଷୁରି କ୍ଷେତ୍ରରେ ତାହା ଯଥାକ୍ରମେ ୩.୪ ଓ ୫୪.୧୪ ଶତାଂଶ। ଅତଏବ ଆମ ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ ପରିବାର ପ୍ରତି ଗାଈ-ବଳଦ, ମଇଁଷି, ମେଣ୍ଢା ଓ ଛେଳିଙ୍କ ସଂଖ୍ୟା ଏବେ ଯଥାକ୍ରମେ ୧୧୫୨, ୭୧, ୧୫୮ ଓ ୬୪୮ ଏବଂ ସହରାଞ୍ଚଳରେ ଏହା ୨୪୧, ୧୯, ୨୦ ଏବଂ ୧୧୫। କେବଳ ଗୁଜରାଟ ଭଳି କେତୋଟି ରାଜ୍ୟକୁ ଛାଡିଦେଲେ ସମଗ୍ର ଦେଶର ଦୃଶ୍ୟପଟ ଏହାଠାରୁ ଭିନ୍ନ ନୁହେଁ।
ଏହିସବୁ ପରିସଂଖ୍ୟାନ ପ୍ରତି ଦୃଷ୍ଟିଦେଲେ ମନେହୁଏ, ଆମ ଦେଶରେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ବିଦେଶୀ ବା ସଙ୍କର ଗାଈଙ୍କ ସଂଖ୍ୟା କିଛିଟା ବଢୁଥିଲେ ହେଁ ଦେଶୀ ଗାଈ ଓ ବଳଦ, ମଇଁଷି ଆଦିଙ୍କ ସଂଖ୍ୟା ବହୁମାତ୍ରାରେ କମି ଚାଲିଛି। ଏପରି ଚାଲିଲେ ଆଗାମୀ ବର୍ଷଗୁଡ଼ିକରେ ଅନେକ ଦେଶୀ ପ୍ରଜାତି ବିଲୁପ୍ତ ହୋଇଯିବେ। ଏହା ଉଦ୍ଭବ ଘଟାଇବ ଏକ ଜଟିଳ ପରିସଂସ୍ଥୀୟ ସମସ୍ୟାର। କାରଣ ଏହାଦ୍ୱାରା ଜୈବବିବିଧତା ଗଭୀରଭାବେ ପ୍ରଭାବିତ ହେବ। ଦୁନିଆରେ ବିଗତ ଶତାବ୍ଦୀ ମଧ୍ୟରେ ବିଲୁପ୍ତ ହୋଇ ସାରିଛନ୍ତି ପ୍ରାୟ ୬ ଶତାଂଶ ପ୍ରଜାତିର ସ୍ତନ୍ୟପାୟୀ ଏବଂ ବର୍ତ୍ତମାନ ଆହୁରି ପ୍ରାୟ ୯ ଶତାଂଶ ଲୁପ୍ତପ୍ରାୟ। ପରିସଂସ୍ଥାକୁ ଏହା ଯେ କି ପ୍ରକାର କ୍ଷତି ପହଞ୍ଚାଇବ ତାହା ଏବେ ଆକଳନ କରିବା କଷ୍ଟକର। ଆମର ଅତି ନିକଟତର ହୋଇଥିବା ଗୋ-ଜାତିର ଦେଶୀ ପ୍ରଜାତିମାନଙ୍କ ଅବକ୍ଷୟର ପରିଣାମ ଅଧିକ ଭୟାବହ ହୋଇପାରେ। ପୁନଶ୍ଚ ଏହା ଫଳରେ ଜିନୀୟ ବିଭିନ୍ନତାର ମଧ୍ୟ ଅବକ୍ଷୟ ଘଟିବ। କାରଣ ଦେଶୀ ଗୋରୁଗାଈଙ୍କ ଭିତରେ ଅଛନ୍ତି ବହୁ ଅଲଗା ଅଲଗା ଜିନ୍ଧାରୀ। ବିଭିନ୍ନ ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇବାକୁ ଏହା ତାଙ୍କୁ ସାମର୍ଥ୍ୟ ଦିଏ। ଅପରପକ୍ଷରେ ଏହି ପ୍ରଜାତିଗୁଡ଼ିକର ସ୍ଥାନ ଅଧିକାର କରୁଥିବା ବିଦେଶୀ ଓ ସଙ୍କର ପ୍ରଜାତିଗୁଡ଼ିକର ଏ ପ୍ରକାର ବିଭିନ୍ନତା କମ୍ ଏବଂ ସେମାନଙ୍କର ଏହା ସହ୍ୟ କରିବା ଶକ୍ତି ମଧ୍ୟ କମ୍। ଏଣୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ କିମ୍ବା ରୋଗବ୍ୟାଧି ବ୍ୟାପିଲେ ଏଗୁଡ଼ିକର ବଂଶ ହଠାତ୍ ବୁଡ଼ିଯିବାର ସମ୍ଭାବନା ଅଧିକ।
ପରିବେଶର ସୁରକ୍ଷା ଦିଗରେ ଦେଶୀ ଗୋରୁଗାଈ, ମଇଁଷିଙ୍କର, ବିଶେଷକରି ସେମାନଙ୍କ ଅଣ୍ଡିରା ପ୍ରଜାତିର ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଉପଯୋଗ ରହିଛି। ସେଗୁଡ଼ିକ ହେଲା ପରିବହନ, ଗମନାଗମନ, ଜୈବିକ କୃଷି, ଶକ୍ତି ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରରେ ସେମାନଙ୍କ ଚର୍ମ ଓ ହାଡ଼ ବିନିଯୋଗ। କୃଷି, ପରିବହନ ଓ ଗମନାଗମନରେ ଯାନ୍ତ୍ରିକ ବ୍ୟବସ୍ଥାର ଦ୍ରୁତ ବର୍ଦ୍ଧିଷ୍ଣୁ ବ୍ୟବହାର ବାୟୁ ପ୍ରଦୂଷଣଠାରୁ ଆରମ୍ଭକରି ନାନାପ୍ରକାର ପରିବେଶୀୟ ସମସ୍ୟା ଉତ୍ପନ୍ନ କରୁଛି। ଏଣୁ ଏସବୁରେ ବଳଦ ଓ ମଇଁଷିଙ୍କ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦରକାର। ସେହିପରି କୃଷିକ୍ଷେତ୍ରରେ ରାସାୟନିକ ସାର ଓ କୀଟାଣୁନାଶକ ବ୍ୟବହାର ହ୍ରାସ ଦିଗରେ ଗୋବର ଓ ଗୋମୂତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଉଦାହରଣ ସ୍ବରୂପ ଗୋଟିଏ ଗାଈ ବା ବଳଦ ବର୍ଷକୁ ହାରାହାରି ୩୫୦୦ କିଲୋଗ୍ରାମ ଗୋବର ଦେଇଥାଏ। ଯାହାକି ୮୦ରୁ ୧୦୦ ଟନ୍ କମ୍ପୋଷ୍ଟ ସାର ସହିତ ସମାନ। ଏଣୁ ଜୈବିକ କୃଷି ପାଇଁ ଏହାର ଦାନ ଅତୁଳନୀୟ ହୋଇପାରିବ। ପୁନଶ୍ଚ ଏହି ଗୋବରରୁ ପରିବେଶ ସହାୟକ ଜୈବ ଇନ୍ଧନ ଗୋବର ବାଷ୍ପ ମଧ୍ୟ ଉତ୍ପନ୍ନ କରାଯାଇପାରିବ। ଏହା ବ୍ୟତୀତ ମୃତ ଗୋରୁଗାଈଙ୍କ ହାଡ଼କୁ କ୍ଷେତରେ ଜୈବିକ ସାର ରୂପେ କିମ୍ବା ତହିଁରୁ କ୍ୟାଲସିୟମ୍ ନିର୍ଯାସ କାଢ଼ି ତାହାକୁ ଔଷଧ ରୂପେ ଏବଂ ଚର୍ମକୁ ଚମଡ଼ା ଶିଳ୍ପରେ ଉପଯୋଗ କରିହେବ। ଏହିଭଳି ଗୋଟି ଗୋଟି କରି ବିଚାରକୁ ନେଲେ ସ୍ପଷ୍ଟ ଅନୁମିତ ହୁଏ ଯେ, ଗୋସମ୍ପଦର ଅବକ୍ଷୟ ଆଦୌ ଶୁଭ ସୂଚନା ନୂହେଁ। ଅଧିକ ଦୁଗ୍ଧ ଉତ୍ପାଦନକାରୀ ବିଦେଶୀ ଓ ସଙ୍କର ଜାତୀୟ ଗାଈଙ୍କ ସହିତ କମ୍ ଯତ୍ନ ଆବଶ୍ୟକ କରୁଥିବା ଗାଈ, ବଳଦ ଓ ମଇଁଷି ପାଳନ ଆମ ଦେଶ ପାଇଁ ବିଶେଷକରି ପରିବେଶ ଓ ପରିସଂସ୍ଥା ଏବଂ ସହନୀୟ କୃଷି ପାଇଁ ଏକାନ୍ତ ଆବଶ୍ୟକ। ପୁନଶ୍ଚ ଏଠାରେ ଏ କଥା ମଧ୍ୟ ସୂଚାଇ ଦିଆଯାଇପାରେ ଯେ ଆମ ଦେଶରେ ଏଇ କେଇବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ସମସ୍ତଙ୍କୁ ଏହା ଯଥେଷ୍ଟ ମିଳିପାରେ ନାହିଁ। ଏ ଅଭାବ ବ୍ୟବସାୟିକ ଭିତ୍ତିରେ ବିଦେଶୀ ବା ସଙ୍କର ଗାଈମାନଙ୍କ ପାଳନ ଦ୍ୱାରା ପୂରଣ ହେବା ସମ୍ଭବ ନୁହେଁ, ସେଥିପାଇଁ ବ୍ୟକ୍ତିଗତ ପାଳନ କରାଯାଇ ପାରୁଥିବା ଦେଶୀ ଗାଈ ଓ ମଇଁଷିଙ୍କର ମଧ୍ୟ ଆବଶ୍ୟକତା ରହିଛି।
ତେବେ ଏମାନଙ୍କ ବଂଶବୃଦ୍ଧି ମଧ୍ୟ ଆଉ ଗୋଧୂଳିକୁ ଫେରାଇ ଆଣି ପାରିବନି। କାରଣ ଏବେ ଚାରଣଭୂମି ଖୁବ୍ ସଂକୁଚିତ ହୋଇସାରିଲାଣି। ଏଣୁ ଦେଶୀ ଗାଈ, ବଳଦ କିମ୍ବା ମଇଁଷିଙ୍କୁ ମଧ୍ୟ ଦେବାକୁ ପଡିବ କ୍ଷେତରୁ ଉତ୍ପାଦିତ ଦାନା ନତୁବା ଘାସ, ଫଳରେ ତାଙ୍କୁ ଆଉ ଗୋଠକୁ ନେବାର ଅବକାଶ ରହିବ ନାହିଁ। ଅନ୍ୟପକ୍ଷରେ ଏବେ ଏପରିକି ଗ୍ରାମାଞ୍ଚଳର ଅଧିକାଂଶ ରାସ୍ତାଘାଟ ପକ୍କା ହୋଇ ସାରିଲାଣି। ଏଣୁ ସେଥିରୁ ତାଙ୍କ ଖୁରାଘାତରେ ଧୂଳି ଉଡ଼ିବାର ମଧ୍ୟ ସମ୍ଭାବନା ନାହିଁ। ଏପରିସ୍ଥଳେ ଧରିନେବା ଯେ, ଗୋଧୂଳି ଏବେ ଆମଠୁ ବିଦାୟ ନେଇସାରିଛି ଚିରଦିନ ଲାଗି।
ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭