Categories: ଖେଳ

ବିଦାୟ ଟୁର୍ନାମେଣ୍ଟରେ ନିଜ ପୋଷ୍ଟର ଦେଖି କାନ୍ଦିଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ,୧୭।୨: ବେଙ୍ଗାଲୁରୁ ଓପନ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ ଟେନିସ ଖେଳାଳି ଲିଆଣ୍ଡର୍‌ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମରେ ତାଙ୍କର ଏକ ପୋଷ୍ଟର ଦେଖି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ପେସ୍‌। ବିଦାୟ ମ୍ୟାଚରେ ସେ ଏକ ସ୍ବତନ୍ତ୍ର ଟି-ଶର୍ଟ ପିନ୍ଧିଥିଲେ। ଯେଉଁଥିରେ ଟେନିସ କ୍ୟାରିୟରରେ ସେ ଜିତିଥିବା ଟୁର୍ନାମେଣ୍ଟ କଥା ଉଲ୍ଲେଖ ରହିଛି। ପେସାଦାର ଟେନିସରେ ଅନ୍ତିମ ସେସନ ଖେଳୁଥିବା ପେସ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋ ମାଥ୍ୟୁ ଏଡବେନ ଶନିବାର ପୁରୁଷ ଡବଲ୍ସ ଫାଇନାଲରେ ପୂରବ ରାଜା ଓ ରାମକୁମାର ରାମନାଥନଙ୍କଠାରୁ ପରାସ୍ତ ହୋଇଥିଲେ। ସିଙ୍ଗଲ୍ସ ଫାଇନାଲ ପୂର୍ବରୁ ୪୬ ବର୍ଷୀୟ ପେସଙ୍କୁ ଭବ୍ୟ ବିଦାୟ ଦିଆଯାଇଥିଲା। ଏହା ମଧ୍ୟରେ ବିଭିନ୍ନ ଖେଳର ଷ୍ଟାର୍‌ ଖେଳାଳି ଉପସ୍ଥିତ ରହିଥିଲେ, ଯେଉଁଥିରେ ପୂର୍ବତନ ହକି ଖେଳାଳି ଜ୍ୟୁଡ ଫେଲିକ୍ସ, ଭିଆର୍‌ ରଘୁନାଥ, ଅର୍ଜୁନ ହଲପ୍ପା, ପୂର୍ବତନ ଟ୍ରାକ ଓ ଫିଲ୍ଡ ଆଥଲେଟ ଅଶ୍ୱିନୀ ନାଚାପ୍ପା ଓ ଡେଭିସ କପ ଖେଳାଳି ପ୍ରହ୍ଲାଦ ଶ୍ରୀନାଥ ଆଦି ସାମିଲ ଥିଲେ।
ଦର୍ଶକ ଏବଂ ପୂର୍ବତନ ଖେଳାଳିଙ୍କଠାରୁ ଅଭିବାଦନ ଜ୍ଞାପନ କରି ପେସ କହିଥିଲେ, ଆପଣମାନେ ମୋତେ ଶିଖାଇଛନ୍ତି ଯେ କିପରି ଖେଳ ପ୍ରତି ଉତ୍କଣ୍ଠା, ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ଦ୍ୱାରା ଆମକୁ ସଫଳତା ହାସଲ କରିବାରେ ସହାୟତା ମିଳେ। ଏହି ଅବସରରେ ପୂର୍ବତନ ସ୍ବିମର୍‌ ରେଶମା, ନିଶା ମିଲେଟ, ପୂର୍ବତନ ହେପ୍ଟାଥ୍ଲେଟ ପ୍ରମିଳା ଆୟାପ୍ପା ଓ ପୂର୍ବତନ ଲଙ୍ଗଜମ୍ପର୍‌ ରୀତା ଆବ୍ରାହମ ମଧ୍ୟ ଉପସ୍ଥିତ ଥିଲେ।

Share