ବିଦାୟ ନେଲେ ବୁଢ଼ାଗଣେଶ

ଭଦ୍ରକ ଅଫିସ, ୨୯।୯ – ୨୭ ଦିନ ଧରି ପୂଜା ପାଇବା ପରେ ରବିବାର ଭଦ୍ରକର ପ୍ରସିଦ୍ଧ ବାବା ବୁଢ଼ା ଗଣେଶ ବିଦାୟ ନେଇଛନ୍ତି। ପାରମ୍ପାରିକ ଶୋଭାଯାତ୍ରାରେ ନିଆଯାଇ ବୁଢ଼ା ଗଣେଶଙ୍କୁ ବିସର୍ଜନ କରାଯାଇଛି। ଚଳିତବର୍ଷ ପୋଲିସ ପକ୍ଷରୁ ଭସାଣି ଉତ୍ସବର ଭିଡିଓଗ୍ରାଫି ତଥା ଡ୍ରୋନ ଭିଡିଓଗ୍ରାଫି କରାଯାଉଥିବା ଦେଖିବାକୁ ମିଳିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଠାକୁରଙ୍କୁ ସଜ୍ଜିତ କରାଯାଇ ଶୋଭାଯାତ୍ରାରେ ପୁରୁଣାବଜାର ଅଞ୍ଚଳ ପରିକ୍ରମା ପରେ ସାଳନ୍ଦୀରେ ବିସର୍ଜନ କରାଯାଇଥିଲା। ଭସାଣି ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଡିଜେ, ବାଦ୍ୟଯନ୍ତ୍ର, ଘଣ୍ଟୁଆଳ, ଲୋକନୃତ୍ୟ, ମାଦଳ ବାଦ୍ୟ, ଦୁଲୁଦୁଲି ବାଦ୍ୟ ସାଙ୍ଗକୁ ଲୋକନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା। ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଉଭୟପାର୍ଶ୍ୱରେ ବାବା ଗଣେଶଙ୍କୁ ଦର୍ଶନ କରିଥିଲେ। ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ଥିଲେ।
ଭସାଣିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ୭ ଜଣ ଡିଏସ୍‌ପି, ୧୩ ଇନ୍ସପେକ୍ଟର, ୬୦ ସବ୍‌ଇନ୍ସପେକ୍ଟର ଓ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏହାସହ ୯ ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱ ତୁଲାଇଥିଲେ। ଶୋଭାଯାତ୍ରା ଯାଉଥିବା ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ବିଭିନ୍ନ ରାସ୍ତା ବିଶେଷ କରି ପୁରୁଣାବଜାର ଅଞ୍ଚଳ, ନଙ୍ଗାମହଲା, ବାଙ୍କାବଜାର, ଗରଦପୁର ସମେତ ସହରର ପ୍ରମୁଖ ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ଲାଗି ରେପିଡିଏକ୍ସନ ଫୋର୍ସ ମଧ୍ୟ ମୁତୟନ ଥିଲେ।