ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ଗଞ୍ଜାମ,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ବଜାର ଅସ୍ଥାୟୀ ପୂଜା ମଣ୍ଡପରେ ୮ ଦିନ ଧରି ପୂଜା ପାଉଥିବା ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ରବିବାର ସନ୍ଧ୍ୟାରେ ସହରବାସୀଙ୍କଠାରୁ ବିଦାୟ ନେଇଛନ୍ତି। ଏହି ଅବସରରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷ ଦିନରେ ସନ୍ଧ୍ୟା ଆଳତି ଏବଂ ପୂଜାର୍ଚ୍ଚନା ପରେ ମା’ଙ୍କୁ ବଜାର ପରିକ୍ରମା କରାଯାଇ ଋଷିକୂଲ୍ୟାରେ ବିସର୍ଜନ କରାଯାଇଥିଲା। ପ୍ରତିବର୍ଷ ବଣିକ ସଂଘ ପକ୍ଷରୁ ଏହି ପୂଜାର ଆୟୋଜନ କରାଯାଉଛି। ଏହାକୁ ସଂଘ ସଭାପତି ଗୌରୀଶଙ୍କର ବାରିକି, ସମ୍ପାଦକ କାହ୍ନୁଚରଣ ପଣ୍ଡା, ଉପସଭାପତି ଗଣେଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଜି.ରାମଦାସ ରେଡ୍ଡୀ, ଅନି ପଟ୍ଟନାୟକ, ଜଗୁ ରେଡ୍ଡୀ, ଲୋକନାଥ ପଣ୍ଡା, ଯୁଧିଷ୍ଠିର ଦାସ, ଗଣେଶ ରେଡ୍ଡୀ ପ୍ରମୁଖ ପରିଚାଳନା କରିଥିଲେ।