Categories: ବାଣିଜ୍ୟ

ବିଦା ହେଲେ ୨୧ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀ

ନୂଆଦିଲ୍ଲୀ,୨୭-୧୧: ଆୟକର ବିଭାଗରୁ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଦେଇଛନ୍ତି। ଚାକିରୀ ଶେଷ କରିବା ପୂର୍ବରେ ଏମାନଙ୍କୁ ସେବା ନିବୃତ୍ତ କରାଯାଇଥିବା ଜଣାପଡିଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ୫ମ ସଂସ୍କରଣରେ କେନ୍ଦ୍ର ସରକାର ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୂଚନା ମୁତାବକ ସେବା ନିବୃତ୍ତ ନିୟମ ୫୬ଜେ ଅନୁସାରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଚଳିତ ବର୍ଷ ଜୁନ ପରଠାରୁ ଏଭଳି କଠୋର ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ଏଥିରେ ମୋଟ ୮୫ ଟିକସ ଅଧିକାରୀ ବିଦା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬୪ ଜଣ ଉଚ୍ଚ ସ୍ତରର ଅଧିକାରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ସିବିଡିଟିର ୧୨ ଜଣ ଅଧିକାରୀ ରହିଛନ୍ତି।
ସରକାର ସେପ୍ଟେମ୍ବରରେ ୧୫ ଅଧିକାରୀଙ୍କୁ ସେବାନିବୃତ୍ତ କରିଥିଲେ। ଚଳିତ ଥର ବିଦା ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ମୁମ୍ବାଇ କାର୍ଯ୍ୟାଳୟର ୩ ଏବଂ ଥାନେର ୨ ଅଧିକାରୀ ସାମିଲ ଅଛନ୍ତି। ଅନ୍ୟ ଅଧିକାରୀମାନେ ବିଶାଖାପାଟଣା, ହାଇଦ୍ରାବାଦ, ହଜରୀବାଗ, ନାଗପୁର, ରାଜକୋଟ, ଯୋଧପୁର, ମାଧୋପୁର ଏବଂ ବିକାନେର, ଇନ୍ଦୋର ଏବଂ ଭୋପାଳ ଭଳି ସ୍ଥାନଗୁଡିକରେ ନିଯୁକ୍ତି ପାଇଥିଲେ। ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରେ ତାଙ୍କ ଭାଷଣରେ କହିଥିଲେ। ତାପରଠାରୁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଧିକାରୀ ଲାଞ୍ଚ ନେବା ସମୟରେ ଧରା ପଡିଥିଲେ। ସେହିଭଳି ଚଳିତ ବର୍ଷ ଜୁନରେ ପରୋକ୍ଷ କର ଏବଂ ସୀମା ଟିକସ ବୋର୍ଡ (ସିବିଆଇସି) ୧୫ ଅଧିକାରୀଙ୍କୁ ଦୁର୍ନୀତିରେ ସମ୍ପୃକ୍ତି ନେଇ ବିଦା କରି ଦେଇଥିଲା।

Share