ନୂଆଦିଲ୍ଲୀ,୨୫-୮: ଜେଟ୍ ଏୟାରଓ୍ବେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଟିକସ ଦେବାରୁ ରକ୍ଷା ପାଇବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ଏହାରି ମାଧ୍ୟମରେ ସେ ଜାଲିଆତି କରି ବିଦେଶକୁ ଟଙ୍କା ପଠାଇବାରେ ସଫଳ ହୋଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର କୁହାଯାଇଛି। ଗୋୟଲଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଶୁକ୍ରବାର ଚଢ଼ାଉ ପରେ ଏ ସଂକ୍ରାନ୍ତରେ ଅନେକ ସନ୍ଦେହଜନକ ଦସ୍ତାବିଜ ତଥା ଡିଜିଟାଲ ପ୍ରମାଣ ମିଳିଛି। ଇଡି ପକ୍ଷରୁ କୁହାଯାଇଛି ଯେ, ଘରୋଇ ଓ ବିଦେଶୀ କମ୍ପାନୀ ଜରିଆରେ ଗୋୟଲ ଅନେକ ଯୋଜନା କରିଥିଲେ ଓ ଟିକସ ଦେବାରୁ ନିଜକୁ ରକ୍ଷା କରିପାରିଥିଲେ। ସେ ଅନେକ ବିଦେଶୀ କମ୍ପାନୀକୁ ପରୋକ୍ଷ ଭାବେ ନିୟନ୍ତ୍ରିତ କରୁଥିଲେ ବୋଲି ଇଡି ପକ୍ଷରୁ ଅଭିଯୋଗ କରାଯାଇଛି।