ବିଦେଶରେ ପାଳିତ ହେଲା ବଡ ଠାକୁରଙ୍କ ରଥଯାତ୍ରା

ବାହାରିନ,୬।୭: ଶ୍ରୀଗୁଣ୍ଡିଚା ଅବସରରେ ଗତ ଜୁଲାଇ ୪ରେ ସୁଦୂର ବାହାରିନ ସ୍ଥିତ ପ୍ରବାସୀ ଓଡ଼ିଆ ଓ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳିତ ହୋଇଛି। ସ୍ଥାନୀୟ ବାନ ସେଙ୍ଗ ଥାଇ ଅଡିଟୋରିୟମରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥିଲା ରଥଯାତ୍ରା। ଏକ ସୁସଜ୍ଜିତ ରଥରେ ତିନି ଠାକୁରଙ୍କ ଦିବ୍ୟ ପ୍ରତିମା ଶହ ଶହ ଶ୍ରଦ୍ଧାଳୁଙ୍କ ଚିତ୍ତ ଆକର୍ଷଣ କରିଥିଲା।

 

ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ପହଣ୍ଡି ତଥା ରଥ ଟାଣିବାର ସୁଯୋଗ ଦିଆଯାଇଥିଲା। ଏଥିରେ ବାହାରିନ ତଥା ଅନ୍ୟ ଦେଶରୁ ଆସିଥିବା ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବାର ସୂଚନା ମିଳିଛି। ନେପାଳ ରାଷ୍ଟ୍ରଦୂତ ମହାମନ୍ୟ ପଦମ ସୁନ ଦାସ ଏହି ରଥଯାତ୍ରାରେ ଯୋଗ ଦେଇ ଖୁବ୍‌ ଖୁସି ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିଲା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ।

 

ନିର୍ଦ୍ଧାରିତ ସମୟରେ ସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସମାଜର ପରିଚାଳନା କମିଟି ଉପସ୍ଥିତ ଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ମୁମ୍ବାଇ ଇସ୍କନର ମୁଖ୍ୟ ଅତୁଲ କ୍ରିଷ୍ଣା ଦାସ ଜଗନ୍ନାଥଙ୍କ ମହିମା ଓ ନିଜସ୍ବ ଅନୁଭୂତି ବଖାଣିଥିଲେ।

Share