ବିଦେଶରେ ‘ମୋ ସ୍କୁଲ’:ଓଡ଼ିଆଙ୍କଠାରୁ ସାହାଯ୍ୟ ପାଇଁ ପ୍ରୟାସ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ କରାଇବା ସହ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଥିପାଇଁ ‘ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ନିଆସ୍ଥିତ ମିଲିପିଟାସଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିପାଇଁ ଭାରତୀୟ କନ୍‌ସେଲ ଜେନେରାଲଙ୍କ ଦପ୍ତରରୁ କାଲିଫର୍ନିଆରେ ରହୁଥିବା ଓଡ଼ିଆମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି। କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ, ୧୫ ତାରିଖ ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଦେଖାଯିବ। ଏହାପରେ ଅଧ୍ୟକ୍ଷା ବାଗ୍‌ଚୀ ଉପସ୍ଥିତ ବ୍ୟକ୍ତିଙ୍କୁ ‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଅବଗତ କରାଇବେ। ଏହାପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଇଣ୍ଡୋ-ଆମେରିକା ସେବକ ଫାଉଣ୍ଡେଶନ ସହିତ ମଧ୍ୟ ଏ ସଂକ୍ରାନ୍ତରେ ଏକ ରାଜିନାମା ସ୍ବାକ୍ଷରିତ ହେବ।
ସୂଚନାନୁଯାୟୀ, କାଲିଫର୍ନିଆରେ ଥିବା ଓଡ଼ିଆମାନେ ଯେଭଳି ‘ମୋ ସ୍କୁଲ’ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ ସେ ଦିଗରେ ସେମାନଙ୍କୁ ଅବଗତ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟର ପୂର୍ବତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟରେ ‘ମୋ ସ୍କୁଲ’ ଯୋଜନା ଆରମ୍ଭ ହୋଇଛି। ଯୋଜନା ଅନୁଯାୟୀ ପୂର୍ବତନ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯେତିକି ଟଙ୍କା ସହାୟତା କରିବେ ସରକାର ତାହାର ଦୁଇଗୁଣ ଅର୍ଥ ଯୋଗାଇଦେବେ। ଇତିମଧ୍ୟରେ ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ପୂର୍ବତନ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଏହି ଯୋଜନାରେ ଏବେ ପ୍ରଥମ ଥର ବିଦେଶରୁ ଅର୍ଥ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଯୋଜନା ଆରମ୍ଭ ହେବା ପରେ ଇତିମଧ୍ୟରେ ମୋ ସ୍କୁଲ ପାଣ୍ଠି ୧୦୦ କୋଟି ଟଙ୍କା ଟପିଯାଇଛି। ପ୍ରାୟ ଦେଢ଼ ଲକ୍ଷ ପୂର୍ବତନ ଛାତ୍ରୀଛାତ୍ର ସହାୟତା ବାବଦରେ ୩୩ କୋଟି ୬୦ଲକ୍ଷରୁ ଅଧିକ ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ ଦାନ ପରିମାଣର ଦୁଇଗୁଣା ଅର୍ଥ ଯୋଗାଇ ଦେଇଛନ୍ତି। ଏବେ ବିଦେଶରୁ ସହାୟତା ମିଳିଲେ ‘ମୋ ସ୍କୁଲ’ ଯୋଜନା ପାଣ୍ଠି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Share