ବିଦେଶରେ ସିଏଏକୁ ବିରୋଧ: ୟୁରୋପୀୟ ସଂଘର ୧୫୦ ସଦସ୍ୟ ଏକଜୁଟ; ବୁଧବାର ଆଲୋଚନା ଗୁରୁବାର ଭୋଟିଂ

ନୂଆଦିଲ୍ଲୀ/ବ୍ରସେଲ୍ସ୍‌,୨୮।୧: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିଦେଶରେ ମଧ୍ୟ ବିରୋଧ କରାଯାଉଛି। ଏନେଇ ୪୫ଟି ଦେଶରେ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକାର ୩୦ରୁ ଅଧିକ ସହରରେ ବିକ୍ଷୋଭ କରାଯାଉଛି। ୟୁରୋପୀୟ ସଂଘର ୧୫୦  ସଦସ୍ୟ ସିଏଏ ବିରୋଧରେ ଏକଜୁଟ ହୋଇଛନ୍ତି। ସିଏଏ ବିରୋଧୀ ପ୍ରସ୍ତାବ ଉପରେ ୟୁରୋପୀୟ ସଂଘ ସଂସଦରେ ବୁଧବାର ଆଲୋଚନା କରାଯିବ। ଏହାପରେ ଗୁରୁବାର ଭୋଟିଂ ହେବ। ଏହାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ୍‌ ବିରଳା ୟୁରୋପୀୟ ସଂଘ ସଂସଦ ଅଧ୍ୟକ୍ଷ ଡେଭିଡ୍‌ ମାରିୟାଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ସିଏଏ ସମ୍ପୂର୍ଣ୍ଣ ଭାବେ ଭାରତର ଘରୋଇ ମାମଲା। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଏହାକୁ ସମ୍ମାନ ଦେବା ଆବଶ୍ୟକ। ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି ଯେ, ସିଏଏ ଯୋଗୁ ପୃଥିବୀରେ ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଆଇନ ଧାର୍ମିକତା ଆଧାରରେ ଭେଦଭାବ ଉତ୍ପନ୍ନ କରିବ। ଏହା ସମ୍ପୂର୍ଣ୍ଣ ଭାବେ ଅଳ୍ପସଂଖ୍ୟକଙ୍କ ବିରୋଧୀ। ସିଏଏ ଆଇନ ମାନବାଧିକାର ଏବଂ ରାଜନୈତିକ ଚୁକ୍ତି ବିରୋଧୀ। ଏହା ଅନ୍ତର୍ଜାତୀୟ ମାନବାଧିକାର ବୁଝାମଣାର ଅନୁଚ୍ଛେଦ ୧୫ରୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ପ୍ରତ୍ୟାହାର କରିବା ଉଚିତ ବୋଲି ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି।

Share