ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି ଟଙ୍କା) କଳାଧନ ଦେଶ ବାହାରକୁ ପଠାଇଛନ୍ତି। ତିନୋଟି ପ୍ରମୁଖ ସଂସ୍ଥାନ ଏନ୍ଆଇପିଏଫ୍ପି, ଏନ୍ସିଏଇଆର୍ ଏବଂ ଏନ୍ଆଇଏଫ୍ଏମ୍ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟୟନ ରିପୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମିଳିଛି।
ସୋମବାର ଲୋକ ସଭାରେ ଅର୍ଥ ଉପରେ ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ରିଏଲ ଇଷ୍ଟେଟ୍, ଖଣି, ଫାର୍ମାସ୍ୟୁଟିକାଲ୍ସ, ପାନ ମସଲା, ଗୁଟ୍କା, ତମ୍ବାକୁ, ବୁଲିୟନ, କମୋଡିଟି, ଫିଲ୍ମ ଏବଂ ଏଜେୁକେଶନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବ୍ୟକ୍ତିବିଶେଷ ବିଦେଶରେ କଳାଧନ ଜମା କରିଛନ୍ତି। କମିଟି ପକ୍ଷରୁ ‘ଷ୍ଟାଟସ୍ ଅଫ୍ ଅନ୍ଆକାଉଣ୍ଟେଡ ଇନ୍କମ୍/ଓ୍ବେଲ୍ଥ ବୋଥ୍ ଇନ୍ସାଇଡ ଆଣ୍ଡ ଆଉଟ୍ସାଇଡ୍ ଦ କଣ୍ଟ୍ରି-ଏ କ୍ରିଟିକାଲ ଆନାଲିସିସ୍’ ନାମକ ରିପୋର୍ଟରେ କୁହାଯାଇଛି ଯେ, କଳାଧନ ସୃଷ୍ଟି ହେବା ଅଥବା ଏକତ୍ରିତ କରିବାକୁ ନେଇ କୌଣସି ବିଶ୍ୱାସଯୋଗ୍ୟ ଅନୁମାନ କରାଯାଇନାହିଁ। ଏପରିକି ଏଭଳି ଅନୁମାନ ଦର୍ଶାଇବା ଲାଗି ସର୍ବମାନ୍ୟ ପଦ୍ଧତି ମଧ୍ୟ ନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ଯେଉଁସବୁ ଅନୁମାନ କରାଯାଇଛି, ସେମାନଙ୍କ ମଧ୍ୟରେ ସମାନତା ବା ଯାଞ୍ଚ ପଦ୍ଧତି ଏବଂ ଦୃଷ୍ଟିକୋଣ ସମ୍ପର୍କରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ନ୍ୟାଶନାଲ କାଉନସିଲ୍ ଅଫ୍ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍ସିଏଇଆର୍)ର ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ୧୯୮୦ରୁ ୨୦୧୦ ମଧ୍ୟରେ ୨୬,୮୮,୦୦୦ କୋଟିରୁ ନେଇ ୩୪,୩୦,୦୦୦ କୋଟି ଟଙ୍କାର କଳାଧନ ବିଦେଶ ପଠାଯାଇଛି। ସେହିପରି ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ(ଏନ୍ଆଇଏଫ୍ଏମ୍) ପକ୍ଷରୁ କୁହାଯାଇଛି ଯେ, ଅର୍ଥନୀତିରେ ସୁଧାର ବେଳେ ପ୍ରାୟ ୧୫,୧୫,୩୦୦ କୋଟି ଟଙ୍କାର କଳାଧନ ବିଦେଶ ଯାଇଛି। ଅନ୍ୟପକ୍ଷରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି ଆଣ୍ଡ୍ ଫାଇନାନ୍ସ(ଏନ୍ଆଇପିଏଫ୍ପି) ରିପୋର୍ଟରେ କୁହାଯାଇଛି ଯେ, ୧୯୯୭-୨୦୦୯ ମଧ୍ୟରେ ଦେଶର ମୋଟ ଜିଡିପିର ୦.୨%ରୁ ଆରମ୍ଭ କରି ୭.୪% ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଯାଇଛି। ବରିଷ୍ଠ କଂଗ୍ରେସ ସାଂସଦ ଏମ୍.ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୬ତମ ଲୋକ ସଭା ଭଙ୍ଗ ହେବା ପୂର୍ବରୁ ମାର୍ଚ୍ଚ ୨୮ରେ ଲୋକ ସଭା ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ।