ବିଦେଶାଗତଙ୍କ ଉପରେ ନଜର: ମାର୍ଚ୍ଚ ୪ ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମହଲତ,ନାମପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା

ଭୁବନେଶ୍ୱର,୧୬।୩(ବ୍ୟୁରୋ)- ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେମାନେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଟୋଲ୍‌ ଫ୍ରି ନମ୍ବର ୧୦୪କୁ କଲ୍‌ କରି କିମ୍ବା ଅନଲାଇନ ପୋର୍ଟାଲ https://covid19.odisha.gov.in ଜରିଆରେ ନିଜର ନାମ ପଞ୍ଜୀକୃତ କରି ପାରିବେ। ସମ୍ପୃକ୍ତି ବିଦେଶାଗତ ବ୍ୟକ୍ତିଙ୍କୁ ନିଜର ଟେଲିଫୋନ ନମ୍ବର ସହିତ ସମସ୍ତ ବିବରଣୀ ଦେବାକୁ ପଡିବ। ଯଦି କେହି ପହଞ୍ଚିବା ପୂର୍ବରୁ ନିଜର ନାମ ପଞ୍ଜୀକୃତ କରିବେ ତାହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ । ସେହିପରି ମାର୍ଚ୍ଚ ୩ ତାରିଖ ମଧ୍ୟ ରାତ୍ର କିମ୍ବା ୪ ତାରିଖ ପରେ ଆସିଥିବା ଲୋକମାନଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି। ମାର୍ଚ୍ଚ ୧୭ ତାରିଖ ସକାଳ ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ଟା ଯାଏ ନାମ ପଞ୍ଜୀକରଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ ନିଜ ଘରେ କିମ୍ବା ହସ୍ପିଟାଲରେ ଚିକିତ୍ସା କରାଯିବ। ସୋମବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଯେଉଁ ବିଦେଶାଗତ ବ୍ୟକ୍ତିମାନେ ନାମ ପଞ୍ଜୀକୃତ କରିବେ ସେମାନେ ନିଜ ଘରେ ଅଲଗା ହୋଇ ରହିବେ। ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ୧୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ। ଏଥିସହିତ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ବରାବର ନଜର ରଖାଯିବା ସହିତ ୧୪ ଦିନ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଘରେ ଅଲଗା ରଖାଯିବ। ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଷୟରେ ଜାଣିବା ଏବଂ ଆବଶ୍ୟକ ପରାମର୍ଶ ଦେବା ପାଇଁ କେତେକ ବାଧ୍ୟତାମୂଳକ ଟେଲିଫୋନ କଲ୍‌ କରାଯିବ। ଏହାଦ୍ୱାରା ବିଦେଶରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିଜ ଘରେ ଅଲଗା ରଖିବା ପାଇଁ ପ୍ରୋତ୍ସାହନ କରାଯାଇ ପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମାକୁ ପାଳନ ନ କରିବେ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ ଅନୁଯାୟୀ ଫୌଜଦାରି ମାମଲା ରୁଜୁ କରାଯିବ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ରେଗୁଲେଶନ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ବଳବତ୍ତର ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଲୋକମାନଙ୍କୁ କରୋନା ଭୂତାଣୁର ଭୟାବହତାରୁ ସୁରକ୍ଷା ଦେବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Share