Categories: ଫୁରସତ

‘ବିଦେଶିନୀ’ର ଆଲୋକ

ଶିବାନୀ ଗଣନାଟ୍ୟ ପ୍ରଯୋଜିତ ‘ବିଦେଶିନୀ’ ନାଟକ ଦେଖିଥିବା ଦର୍ଶକେ ନିଶ୍ଚୟ ମନେରଖିଥିବେ ଆଲୋକ ଦାସ ମହାପାତ୍ରଙ୍କୁ। କାରଣ ଆଲୋକ ହେଉଛି ବିଦେଶିନୀର ସ୍ବାମୀ। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ପ୍ରିୟ ନାରାୟଣ ତ୍ରିପାଠୀ। ଯାତ୍ରା ଜଗତରେ ସେ କେବଳ ପ୍ରିୟ ଭାବରେ ହିଁ ପରିଚିତ। ପୁରୀରେ ଜନ୍ମ ଗ୍ରହଣ କରିଥିବା ପ୍ରିୟ ନିଜର ପରଲୋକଗତ ବାପା ଓ ମା’ ମଧୁସୂଦନ ତ୍ରିପାଠୀ ଏବଂ ଇନ୍ଦୁମତୀ ତ୍ରିପାଠୀଙ୍କ ପ୍ରେରଣା କ୍ରମେ ପାଦ ରଖିଥିଲେ ଅଭିନୟ ଜଗତରେ। ସେ ସିରିଏଲ ତଥା ଆଲବମ୍‌ରେ ଅଭିନୟ କରି ବେଶ ସନ୍ତୁଷ୍ଟ ଥିଲେ। ଦିନେ ‘ଶିବାନୀ ଗଣନାଟ୍ୟ’ର ପ୍ରଯୋଜକ ଟୁନାବାବୁ ତାଙ୍କୁ ଡାକିଲେ ଆଉ ‘ଶିବାନୀ ଗଣନାଟ୍ୟ’ରେ ଯୋଗଦେବା ଲାଗି ପ୍ରସ୍ତାବ ଦେଲେ। ଏହା କିଛି କମ୍‌ ବଡ଼ ପ୍ରପୋଜାଲ ନ ଥିଲା। ସେ ସିଧାସଳଖ ‘ଶିବାନୀ ଗଣନାଟ୍ୟ’ରେ ଯୋଗଦେଲେ। ପୁଣି ପ୍ରଥମ ନାଟକ ଭାବରେ ମିଳିଲା ‘ବିଦେଶିନୀ’। ଏହି ନାଟକର ଆଲୋକ ଚରିତ୍ରଟି ତାଙ୍କୁ ରାତାରାତ ପ୍ରସିଦ୍ଧ କରିଦେଲା। ଏହାପରେ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମୁଇଁ ସମ୍ବଲପୁରୀ ନନୀ’, ‘କାହାଣୀ ଲାଗୁଛି ନୂଆ’, ‘ଭଙ୍ଗା ସବାରି’, ‘ହରେକୃଷ୍ଣ ହରେରାମ’, ‘ପକାଲୋ ପକା ହୁଳହୁଳି’, ‘ରାମନାମ ସତ୍ୟ ହୈ’, ‘ବାଡୁଅ ବୋହୂ’, ‘ହଳଦୀ ରଙ୍ଗର ଝିଅ’, ‘ଏ ମୁନ୍ନି ବଦନାମ ହୁଇ’, ‘ଥ୍ୟାଙ୍କ୍‌ ୟୁ ଡାଡି’ ଆଦି ନାଟକରେ ଅଭିନୟ କରି ସେ ନିଜକୁ ଜଣେ ପୋଖତ ଅଭିନେତା ଭାବରେ ପରିଚିତ କରାଇଛନ୍ତି। ‘ଶିବାନୀ ଗଣନାଟ୍ୟ’ ପରେ ‘ଗୌରୀ’ ଆଦି ଅନୁଷ୍ଠାନରେ ଯାତ୍ରା କରି ଚଳିତବର୍ଷ ସେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ମାୟା ନଗରୀ’ରେ। ‘ମାୟା ନଗରୀ’ରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘କଥା ଦିଅ ମୋତେ କରିବନି ପର’, ‘ଦେଲେ ଧରା କଥା ସରେ’, ‘ଧନ ପାଖେ ମନ ବନ୍ଧା ପଡ଼ିଛି’ ଏବଂ ‘ନିଜ ନିଜର ରାମାୟଣ’।

Share