ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ସବୁ ଲୋକ ଆଗକୁ ଘୁଞ୍ଚାଇ ଦେଉଥିବା ବେଳେ ଆଉ କେତେକ ଭିଡିଓ କଲ୍‌ ଜରିଆରେ ବିବାହ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ହରିୟାଣାରୁ ଏକ ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି। ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତାରାତି କୋର୍ଟ ଖୋଲାଯାଇ ବିବାହ ସମ୍ପନ୍ନ କରାଯାଇଛି। ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବରୁ ଅନ୍‌ଲାଇନ୍‌ ଜରିଆରେ ମାକ୍ସିକୋର ଯୁବତୀ ଡାନା ଜୋହରୀ ଓ ରୋହତକର ଯୁବକ ନିରଞ୍ଜନ କଶ୍ୟପଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ସମୟକ୍ରମେ ପ୍ରେମରେ ପରିଣତ ହୋଇଥିଲା।

୨୦୧୮ରେ ଦୁହିଁଙ୍କର ନିର୍ବନ୍ଧ ସରିଥିବା ବେଳେ ୨୦୧୯ ଫେବୃୟାରୀ ୧୧ରେ ଡାନା ଓ ତାଙ୍କ ମା’ ବିବାହ ପାଇଁ ଭାରତକୁ ଆସିଥିଲେ। କିନ୍ତୁ ସେମାନଙ୍କ ବିବାହରେ ନାଗରିକତା ବାଧା ସୃଷ୍ଟି କରିଥିଲା। ଏଥିପାଇଁ ଜିଲା ମାଜିଷ୍ଟ୍ରେଟଙ୍କୁ ନିରଞ୍ଜନ ଓ ଡାନା ଏକ ଆବେଦନ ମଧ୍ୟ କରିଥିଲେ। ଏହାପରେ ଜିଲା ମାଜିଷ୍ଟ୍ରେଟ ବିବାହ ପାଇଁ ଅନୁମତି ଦେବା ସହ ବିବହାରେ କୌଣସି ସମସ୍ୟା ସୃଷ୍ଟି ନ ହେବା ପାଇଁ ଏକ ନୋଟିସ୍‌ ଜାରି କରିଥିଲେ। ହେଲେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଯାଇଥିଲା। ଫଳରେ ଡାନା ଓ ନିରଞ୍ଜନଙ୍କ ବିବାହ ଅଟକିଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ବିବାହ ଅଟକିଥିବା ଜାଣି ଜିଲା ମାଜିଷ୍ଟ୍ରେଟ ରାତି ୮ଟାରେ କୋର୍ଟ ଖୋଲିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସୂଚନା ମୁତାବକ ଡାନା ମା’ଙ୍କୁ ମଧ୍ୟ ନିଜ ଦେଶକୁ ଏପ୍ରିଲ ୨୪ରେ ଫେରିବାକୁ ଥିଲା। ହେଲେ ମଙ୍ଗଳବାର ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି ହେବା ଯୋଗୁ ଏବେ ସେ ମେ’ ୫ରେ ମାକ୍ସିକୋ ଫେରିବେ ବୋଲି ଜଣାପଡ଼ିଛି। ତେବେ ବିଦେଶୀ କନ୍ୟା ଓ ଦେଶୀ ବରଙ୍କ ଏହି ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share