ବିଦେଶୀ କମ୍ପାନୀ କବ୍‌ଜାରେ ଓପିଜିସି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି) ଅବସ୍ଥା ଶୋଚନୀୟ। ଏହି ସଂସ୍ଥାର କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି ରାସ୍ତାକୁ ଓହ୍ଲାଇଲେଣି। ରାଜ୍ୟର ଏକମାତ୍ର ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ର ଏବେ ବିଦେଶୀ କମ୍ପାନୀ କବ୍‌ଜାରେ । ଓପିଜିସିକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବାକୁ ଘରୋଇ କମ୍ପାନୀ ଏଇଏସ୍‌ ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ସେଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଘରୋଇ କମ୍ପାନୀର ଅଂଶଧନ ୪୯ ପ୍ରତିଶତ ରହିଥିଲା। ତେବେ ଏହି କମ୍ପାନୀ ଓପିଜିସିକୁ ନିଜ କବ୍‌ଜାରେ ରଖିଛି। ଅଧିକ ଅଂଶଧନ ଥାଇ ମଧ୍ୟ ଓପିଜିସିର କୌଣସି ପ୍ରଶାସନିକ କ୍ଷମତା ନାହିଁ। ଘରୋଇ କମ୍ପାନୀର କର୍ମଚାରୀମାନେ ଓପିଜିସି କର୍ମଚାରୀଙ୍କଠାରୁ ଅଧିକ ଦରମା ପାଉଛନ୍ତି। ଏହି ସଂସ୍ଥାକୁ ଉଦ୍ଧାର କରିବାକୁ ବୁଧବାର ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଓପିଜିସି ଦୀର୍ଘ ବର୍ଷ ଧରି ତାପଜ ବିଦ୍ୟୁତ ଉତ୍ପାଦନ କରୁଛି। ଆମର ଅଧିକ ଅଂଶଧନ ଥିବା ସତ୍ତ୍ୱେ ବିଦେଶୀ କମ୍ପାନୀ ସେଠି ମାଲିକ ହୋଇ ରହିଛି। ଏହି ସଂସ୍ଥାର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ଏ ନେଇ ଶକ୍ତିମନ୍ତ୍ରୀ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଓଡ଼ିଶାର ଏକମାତ୍ର ସଂସ୍ଥା ଭାବେ ଓପିଜିସି ତାପଜ ବିଦ୍ୟୁତ ଉତ୍ପାଦନ କରୁଛି। ଏହାକୁ ଆମ ଓଡ଼ିଆ ଇଞ୍ଜିନିୟରମାନେ କରିଥିଲେ। ଏହି କମ୍ପାନୀ ବନ୍ଦ ହୋଇଯିବାକୁ ବସିଲାଣି। ୪୯ ପ୍ରତିଶତ ଅଂଶଧନରେ ବିଦେଶୀ କମ୍ପାନୀ କେମିତି ମାଲିକ ହୋଇ ବସିଛି। ଏଥିରେ ତୁରନ୍ତ ସରକାର ହସ୍ତକ୍ଷେପ କରନ୍ତୁ ନଚେତ ଏହା ଖୁବଶୀଘ୍ର ବନ୍ଦ ହୋଇଯିବ। ବିଜେଡି ସଭ୍ୟ ଅମର ଶତପଥୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ନରସିଂହ ମିଶ୍ର ପ୍ରମୁଖ ବିଦେଶୀ କମ୍ପାନୀର ପ୍ରଭୁତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଦେଶୀ କମ୍ପାନୀ ସହ ହୋଇଥିବା ଚୁକ୍ତିର ସମୀକ୍ଷା କରାଯାଇ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ଦାବି କରିଥିଲେ।

Share