Categories: ଖେଳ

ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ନେଇ ଦୁଇ ଦଳ ଚିନ୍ତିତ

ଜୟପୁର,୨୭।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନାରଇଜର୍ସ ହାଇଦ୍ରାବାଦ ଶନିବାର ମୁହଁମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କେତେକ ତାରାକା ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଦୁଇ ଦଳ ପଡିଆକୁ ଓହ୍ଲାଇବେ। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ପାଇଁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ରାଜସ୍ଥାନ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି। ବେନ୍‌ ଷ୍ଟୋକ୍ସ, ଜୋସ ବଟଲର ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ ମହଙ୍ଗା ପଡିବ। କାରଣ ଏହି କ୍ରିକେଟରମାନେ ଇଂଲଣ୍ଡ ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ। ସେହିପରି ବିସ୍ଫୋରକ ଓପନର ଜନି ବେୟାରଷ୍ଟୋ ମଧ୍ୟ ସମକାରଣ ଯୋଗୁ ହାଇଦ୍ରାବାଦ ପାଇଁ ପଡିଆକୁ ଓହ୍ଲାଇବେ ନାହିଁ। ପୁଣି ଆସନ୍ତା ସପ୍ତାହରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ସ୍ବଦେଶ ଫେରିବେ। ଫଳରେ ରାଜସ୍ଥାନ ଓ ହାଇଦ୍ରାବାଦ ପାଇଁ ସମସ୍ୟା ବଢିବ। ୧୭ ବର୍ଷୀୟ ଆସାମ ଖେଳାଳି ରିୟାନ ପରାଗ ରାଜସ୍ଥାନ ପାଇଁ ଏବେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଆଷ୍ଟନ ଟର୍ନର ଓ ଲିଆମ ଲିଭିଂଷ୍ଟୋଙ୍କ ଉପରେ ରାଜସ୍ଥାନର ପ୍ରଦର୍ଶନ ନିର୍ଭର କରିବ। ଆର୍ଚର ଓହରିଯାଇଥିବାରୁ ରାଜସ୍ଥାନ ଡେଥ୍‌ ଓଭରରେ ସମସ୍ୟାରେ ପଡିବ। ତେବେ ବରୁଣ ଆରୋନ ଭଲ ପ୍ରଦର୍ଶନ କରି ଦଳ ପାଇଁ ଆଶା ସଞ୍ଚାର କରିଛନ୍ତି। ସେହିପରି ଓଶେନ ଥୋମାସ, ଧାଓ୍ବଲ କୁଲକର୍ଣ୍ଣୀ ଓ ଜୟଦେବ ଉନାଡକଟଙ୍କ ଭଳି ବୋଲର ରାଜସ୍ଥାନର ପାଇଁ ସୁଯୋଗ ସୃଷ୍ଟି କରିବେ। ଅନ୍ୟପଟେ ହାଇଦ୍ରାବାଦ ବିଦେଶୀ ଖେଳାଳିମାନଙ୍କ ଅନୁପସ୍ଥିତି କାରଣରୁ ବ୍ୟାକ୍‌ଫୁଟକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ୨୯ ତାରିଖରେ ଓ୍ବାର୍ନର ହାଇଦ୍ରାବାଦ ପାଇଁ ଶେଷ ମ୍ୟାଚ୍‌ ଖେଳିବେ। ତାଙ୍କ ବଦଳରେ ମାର୍ଟିନ ଗୁପ୍ଟିଲ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି ହୋଇଛି।

Share