Categories: ଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ନିଜ ଗୋଡ଼କୁ ଗୁଳି କରୁଛି ଭାରତ

ଶ୍ରୀନଗର,୨୯ା୮(ପି.ଟି.): ସମୟ ଗଡ଼ିଚାଲିବା ସହ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି। ଫୋନ୍‌ଲାଇନ୍‌ ଓ ଇଣ୍ଟରନେଟ ସେବାକୁ ବନ୍ଦ, ବରିଷ୍ଠ ନେତାମାନଙ୍କୁ ଗୃହବନ୍ଦୀ ଓ କର୍ଫ୍ୟୁ ଜାରି କରାଯିବାକୁ ତିନିସପ୍ତାହ ବିତିସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏତିକିରେ ସନ୍ତୁଷ୍ଟ ନ ହୋଇ ସୋମବାର ହଜାର ହଜାର ସଂଖ୍ୟକ କଶ୍ମୀରୀଙ୍କୁ ଜେଲ୍‌କୁ ପଠାଇ ଦେଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଛାତ୍ରୀଛାତ୍ର, ମାନବାଧିକାର କର୍ମୀ ଓ ବ୍ୟବସାୟୀ। ସଂଖ୍ୟାଲଘୁଙ୍କ ଉପରେ ଏହି ଦମନକୁ ସାରା ଭାରତରେ ପ୍ରଶଂସା କରାଯାଉଛି। ଏଭଳି ତାମସିକ ରାଷ୍ଟ୍ରବାଦର ପ୍ରବଳ ଆକସ୍ମିକ ଉତ୍‌ଥାନର ସ୍ମୃତିଚାରଣ କରିବାକୁ ହେଲେ ସର୍ବିଆର ପୂର୍ବତନ ରାଷ୍ଟ୍ରପତି ସ୍ଲୋବୋଡାନ୍‌ ମିଲୋସେଭିକ୍‌ଙ୍କ ଅଧୀନରେ ଚାଲିଥିବା ଶାସନକୁ ଫେରିଯିବାକୁ ପଡ଼ିବ।
ଭାରତର ପ୍ରେସ୍‌ ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଉତ୍ସାହିତ ହୋଇ ଡେଇଁବାରେ ଲାଗିଛନ୍ତି। କଶ୍ମୀରୀଙ୍କ କ୍ରୋଧ ଓ ଅସନ୍ତୋଷକୁ ନେଇ ରିପୋର୍ଟ କରୁଥିବା ବିବିସି ଏବଂ ନ୍ୟୁୟର୍କ ଟାଇମ୍ସ ଭଳି ପାଶ୍ଚାତ୍ୟ ଗଣମାଧ୍ୟମକୁ ଆକ୍ରମଣ କରିବା ଲାଗି ସୋସିଆଲ ମିଡିଆ ଟ୍ରୋଲରେ ଅନେକ ଭାରତୀୟ ଖବରଦାତା ସାମିଲ ହୋଇଛନ୍ତି। ଭାରତୀୟ ଗଣମାଧ୍ୟମର ପ୍ରାୟ ସର୍ବସମ୍ମତ ସମର୍ଥନ ମୋଦି ସରକାରଙ୍କ ଉତ୍ସାହ ବୃଦ୍ଧି କରିଛି। ଅଧିକାଂଶ ବିଦେଶୀ ସରକାର ଭାରତର ଘରୋଇ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ ଭରତକୁ କୂଟନୈତିକ ସ୍ତରରେ ଏକଘରିକିଆ କରିବା ପାଇଁ ପାକିସ୍ତାନର କଠୋର ପ୍ରଚାର ବିଫଳ ହୋଇଛି। ଏହାକୁ ନେଇ ମୋଦି ଓ ତାଙ୍କର ଅନୁଗାମୀମାନେ ଅତିରିକ୍ତ ଉତ୍ସାହ ପାଉଛନ୍ତି। କଶ୍ମୀରୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିବାବେଳେ ଭାରତର ଶୁଭଚିନ୍ତକମାନେ ପ୍ରଶ୍ନ କରିବା ଉଚିତ ଯେ, ମୋଦି ନିଜ ତଥା ଅନୁଗାମୀ ହିନ୍ଦୁ ଜାତୀୟତାବାଦୀଙ୍କ ପାଇଁ ନିରଙ୍କୁଶ କ୍ଷମତା ଯୋଗାଡ଼ କରିବାବେଳେ ବିବେକଶୀଳ ଓ ସ୍ଥିର ଗଣତନ୍ତ୍ର ଭାବେ ଭାରତର ଦାବିକୁ ଅପୂରଣୀୟ ଢଙ୍ଗରେ ଧ୍ୱଂସ କରିଦେଇଛନ୍ତି କି? କଶ୍ମୀରରେ ସବୁକିଛି ସ୍ବାଭାବିକ ଅଛି ବୋଲି ଭାରତୀୟ ଗଣମାଧ୍ୟମର ମିଥ୍ୟା ଦୃଢ଼ୋକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟିଂରୁ ଧରାପଡ଼ିଯାଉଛି। ଉପତ୍ୟକା ସେନା ଦଖଲରେ ରହିଛି। ଜନଶୂନ୍ୟ କଶ୍ମୀରୀ ରାସ୍ତାଗୁଡ଼ିକରେ ବହୁସଂଖ୍ୟକ ସଶସ୍ତ୍ର ଯବାନଙ୍କ ଉପସ୍ଥିତିକୁ ନେଇ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାର ଚିତ୍ର ଏହାକୁ ସ୍ପଷ୍ଟ କରୁଛି ବୋଲି ବ୍ଲୁମ୍‌ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି।

Share