Categories: ବାଣିଜ୍ୟ

ବିଦେଶୀ ନିବେଶକ ଉଠାଇନେଲେଣି ୧ ଲକ୍ଷ କୋଟି

ମୁମ୍ବାଇ,୨୩-୩: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଦେଶର ପୁଞ୍ଜି ବଜାରରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନା ଭାଇରସ ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଉପୁଜିବା ଆଶଙ୍କାରେ ନିବେଶକମାନେ ଭୟଭୀତ ଅଛନ୍ତି। ନିବେଶ ଏବେ ସୁରକ୍ଷିତ ନୁହେଁ ବୋଲି ନିବେଶକମାନେ ବିଚାର କରିବା ସହ ସେମାନଙ୍କ ଅର୍ଥକୁ ଡଲାର ଡିନୋମେନେଟେଡ ଆସେଟ ଶ୍ରେଣୀ ଏବଂ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଷ୍ଟକ ବଜାର ଡିପୋଜିଟୋରୀ ଡାଟା ମୁତାବକ ମାର୍ଚ୍ଚ ୨ ସୁଦ୍ଧା ଡାଟା ମୁତାବକ ନିବେଶକମାନେ ଇକ୍ୱିଟିରୁ ୫୬,୨୪୭.୫୩ କୋଟି ଏବଂ ଡେଟ୍‌ରୁ ୫୨,୪୪୯.୪୮ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହା ପୂର୍ବରୁ ଗତ ୬ ମାସ ଧରି ନିବେଶକମାନେ ଲଗାତର ଭାବେ ପୁଞ୍ଜି ବଜାରରେ ନିବେଶ କରି ଆସୁଥିଲେ। କରୋନା ଭାଇରସ ବ୍ୟାପିବା ଯୋଗୁ ଭାରତୀୟ ଏବଂ ବିଶ୍ୱ ବଜାର ଲାଗାତର ଭାବେ କ୍ଷତି ସହି ଚାଲିଛି। ଏହାର ପ୍ରଭାବ ଭାରତୀୟ ସମେତ ବିଶ୍ୱ ସ୍ତରର ପୁଞ୍ଜି ବଜାର ଉପରେ ପଡିଥିବା ଜଣାପଠିଛି। ଭାରତ ଭଳି ଅଭିବୃଦ୍ଧି ଶୀଳ ବଜାର ଗୁଡିକରେ ନିବେଶକ ସେମାନଙ୍କ ନିବେଶ ଅର୍ଥ ଉଠାଇ ନେବାକୁ ଉଚିତ ମଣୁଛନ୍ତି ବୋଲି ମର୍ନିଂ ଷ୍ଟାର ଇନଭେଷ୍ଟମେଣ୍ଟ ଆଡଭାଇଜର ଇଣ୍ଡିଆର ବରିଷ୍ଠ ଆନାଲିଷ୍ଟ ହିମାଂଶୁ ଶ୍ରବାସ୍ତବ କହିଛନ୍ତି।
କରୋନା ପ୍ରଭାବରେ ନିବେଶକମାନେ ଷ୍ଟକ ମାର୍କେଟକୁ ସେମାନଙ୍କୁ ଘରୁ ଆକସେସ କରିପାରିବେ। ଏପ୍ରିଲ ୩୦ ଯାଏ ଏଭଳି ସମୟ ସୀମା ଧାର୍ଯ୍ୟ କରାଯାଇଛି।ଷ୍ଟକ ବଜାରରେ ପ୍ରଥମ ଥର ଲାଗି ବ୍ରୋକରଙ୍କ ପାଇଁ ଏଭଳି ସୁବିଧା କରାଯାଇଛି ବୋଲି ଜଣେ ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏ ନେଇ ସର୍କୁଲାର ଜାରି କରାଯିବ ସହ ଏଭଳି ସୁବିଧା କରାଯାଇଥିବା କୁହାଯାଇଛି। ଷ୍ଟକ ବ୍ରୋକରମାନେ ସେମାନଙ୍କ ଟର୍ମିନାଲକୁ ବାହାରୁ ପରିଚାଳନା କରିପାରିବେ। ଏହା ପୂର୍ବରୁ କର୍ମଚାରୀମାନେ ଘରୁ କାମ କରିବାକୁ ଏକ୍ସଚେଞ୍ଜଗୁଡିକ ପକ୍ଷରୁ କୁହାଯାଇଥିଲା। ଏହାବାଦ କରୋନା ବ୍ୟାପିବାରୁ ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ଗତ ଏକ ମାସ ହେବ ନିବେଶକଙ୍କୁ ୨୫% ନକାରାତ୍ମକ ରିଟର୍ନ ମିଳିଛି। ବଜାରରେ ମାନ୍ଦାବସ୍ଥା ଭୟ ଏବଂ ସୂଚକାଙ୍କ ଖସିବା ଯୋଗୁ ଗତ ମାସେ ହେବ ନିବେଶକଙ୍କୁ ରିଟର୍ନରେ ଏଭଳି ସ୍ଥିତି ଦେଖାଯାଇଛି।

Share