ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳର ରିଚି ରେଜେନ୍ସିରେ ଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଯାତ୍ରୀ ନିବାସକୁ ପଠାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତାଙ୍କ ନାମ ପିଟର୍‌ ଏବଂ ସେ ଚେକ୍‌ ରିପବ୍ଲିକ୍‌ର ନାଗରିକ ହୋଇଥିବାବେଳେ ଗତ ଜାନୁୟାରୀ ୧୪ରେ ଭୁବନେଶ୍ୱର ଆସିଥିଲେ। ସେ ରିଚି ରେଜେନ୍ସିରେ ରହୁଥିଲେ। ତେବେ କରୋନା କଟକଣା ଯୋଗୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ହୋଟେଲକୁ ଯାଞ୍ଚ କରାଯିବା ସମୟରେ ସେ ରହୁଥିବା ଜଣାପଡ଼ିିଥିଲା। ଗୁରୁବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ଥଇଥାନ କରିବା ପାଇଁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ଯାତ୍ରୀନିବାସରେ ରଖାଯାଇଥିବା ବେଳେ ତାଙ୍କ ରକ୍ତ ନମୁନା ପରୀକ୍ଷଣରୁ ନେଗେଟିଭ୍‌ ରିପୋର୍ଟ ଆସିଥିବା ବିଏମ୍‌ସି ଜଣାଇଛି। ବର୍ତ୍ତମାନ ପରିସ୍ଥିତିରେ ଏୟାରଲାଇନ୍ସରେ ଟିକେଟ୍‌ ମିଳୁ ନ ଥିବାରୁ ସେ ଟ୍ରେନରେ କୋଲକାତା ଯାଇ ସେଠାରୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି। କୋଲକାତା ଯିବା ପାଇଁ ପିଟର୍‌ ଟିକେଟ କରିଥିବା ସୂଚନା ଦେଇଛନ୍ତି।

Share