ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ

କୋଣାର୍କ, ୨୭ା୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍‌ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍‌ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ ସଚେତନତା ଧର୍ମୀ ଓ ନିଆରା ପରମ୍ପରାରେ କୋଣାର୍କ ସୂଯର୍‌ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ ଏହା ପାଳନ କରାଯାଇଛି। ହୋଟେଲ ଶିଳ୍ପରେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ସହ ଗତ ଫନୀ ମହାବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ସବୁଜ ସୁନ୍ଦର କରିବା ପାଇଁ ଲୋଟସ ରିସୋର୍ଟ ପ୍ରଚେଷ୍ଠା ଅବ୍ୟାହତ ରଖିଛି।
ଦୀପାବଳକୁ ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ କରିବା ସହ ଆତସବାଜି ନ ଫୁଟାଇବା ନିମନ୍ତେ କୋଣାର୍କ ଅଞ୍ଚଳର ୧୨ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ନେଇ ବ୍ୟାଖାନ କେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରିଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ଗୋପାଳ ଦାଶ, ଶିକ୍ଷାବିତ୍‌ ରବିନ୍ଦ୍ର ନାଥ ବାହୀନିପତି, ଧର୍ମରେଖା ଫାଉଣ୍ଡେଶନର ସମ୍ପାଦକ ଶିଶିରକାନ୍ତ ବିଶ୍ୱାଳ ଓ ବାଖ୍ୟାନକେନ୍ଦ୍ରର ଅଧିକାରୀ ରାଜକିଶୋର ଦଳାଇ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଭୁଜରାମ ହାଁସଦା ପ୍ରଥମ, ବିଶ୍ୱଜିତ ମାରାଣ୍ଡି ଓ ସ୍ମୃତିମୟୀ ଶାସମଲ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପରେ ରୁଷରୁ ଆସିଥିବା ମାଇକେଲ ଓ ତାଙ୍କ ଦଳ ଦ୍ୱାରା ପ୍ରଥମ ପୁରସ୍କାର ବାବଦରେ ୫ହଜାର ଟଙ୍କାର ଚେକ୍‌, ଟ୍ରଫି ସହ ମାନପତ୍ର, ଦ୍ୱିତୀୟ ପୁରସ୍କାର ବାବଦରେ ୩ହଜାର ଟଙ୍କା ଟ୍ରଫି ଏବଂ ତୃତୀୟସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨ହଜାର ଟଙ୍କାର ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ କାଉଁରିଆ କାଠି ଜାଳିଥିଲେ। କାର୍ଯ୍ୟକ୍ରମକୁ ଲୋଟସ ରିସୋର୍ଟର ପରିଚାଳକ ଭାରତ ଭୁଷଣ ବିଶ୍ୱାଳ ଓ ସହଯୋଗୀମାନେ ପରିଚାଳନା କରିଥିଲେ।

Share