Categories: ଜାତୀୟ

ବିଦେଶ ଫେରନ୍ତାଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୨୫।୫(ପି.ଟି.): କରୋନା ସଂକ୍ରମଣ ଯୋଗୁ ଦୁଇମାସ ଭାରତରେ ବିମାନ ସେବା ବନ୍ଦ ରହିବା ପରେ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଗାଇଡ୍‌ଲାଇନ ଜାରି କରାଯାଇଛି। ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କହିଥିଲେ। ବିଦେଶରୁ ଆସିବାକୁ ଥିବା ଯାତ୍ରୀ ୧୪ ଦିନ ନିଶ୍ଚୟ କ୍ୱାରାଣ୍ଟାଇନରେ ରହିବେ। ଏଥିପାଇଁ ବିମାନରେ ବସିବା ପୂର୍ବରୁ ଯାତ୍ରୀ ଲିଖିତ ପ୍ରତିଶ୍ରୁତି ଦେବେ। ୭ ଦିନ ସେମାନେ ଟଙ୍କା ଦେଇ ଆନୁଷ୍ଠାନିକ କ୍ୱାରାଣ୍ଟାଇନରେ ରହିବା ପରେ ଅନ୍ୟ ୭ ଦିନ ଘରେ କ୍ୱାରାଣ୍ଟାଇନରେ ରହିବେ। ତେବେ ମାନବୀୟ ଅସୁବିଧା ଯଥା ମହିଳା ଗର୍ଭବତୀ ଥିଲେ, ପରିବାରରେ କାହାର ମୃତ୍ୟୁ କିମ୍ବା ଗୁରୁତର ଅସୁସ୍ଥତା, ସାଙ୍ଗରେ ୧୦ ବର୍ଷରୁ କମ୍‌ ସନ୍ତାନ ଥିଲେ, ସେମାନଙ୍କୁ ୧୪ ଦିନ ଘରେ କ୍ୱାରାଣ୍ଟାଇନରେ ରହିବାକୁ ଅନୁମତି ମିଳିବ। ଏଥିସହିତ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଥର୍ମାଲ ସ୍କ୍ରିନିଂ ପରେ ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିବ କେବଳ ସେହିମାନଙ୍କୁ ବିମାନ କିମ୍ବା ଜାହାଜରେ ଯାତ୍ରା କରିବା ଲାଗି ଅନୁମତି ମିଳିବ।
ସେହିପରି ସ୍ଥଳପଥରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସୀମାରେ ପୁଣିଥରେ ଅନୁରୂପ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ସେମାନଙ୍କଠାରେ ଲକ୍ଷଣ ନ ଥିଲେ ଭାରତରେ ପ୍ରବେଶ ଲାଗି ଅନୁମତି ମିଳିବ। ଘରୋଇ ବିମାନ ଯାତ୍ରୀଙ୍କ କ୍ଷେତ୍ରରେ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ ହୋଇଥିବାବେଳେ ବିମାନରେ ବସିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ। ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ। ସେମାନଙ୍କୁ ୧୪ଦିନ ସେଲ୍ଫ କ୍ୱାରାଣ୍ଟାଇନରେ ରହିବାକୁ କୁହାଯିବ।

Share