ବିଦେଶ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି: ଯୁବକଙ୍କୁ ୨୮ ଦିନ ପର୍ଯ୍ୟବେକ୍ଷଣରେ ରହିବା ପାଇଁ ପରାମର୍ଶ

ଭଣ୍ଡାରିପୋଖରୀ, ୧୭ା୩(ଡି.ଏନ୍‌.ଏ.)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଦେଇଥିବାବେଳେ ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ  ସଚେତନତା ସୃଷ୍ଟି କରାଯାଉଛି। ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ଏକ ଗ୍ରାମର ଜଣେ ବ୍ୟକ୍ତି ମ୍ୟାନ୍‌ମାରରୁ ଗତ ୧୧ ତାରିଖରେ ଆସି କୋଲକାତା ଏୟାରପୋର୍ଟରେ ଓହ୍ଲାଇ ଟ୍ରେନ ଯୋଗେ ଘରକୁ ଆସିଥିଲେ। ଏୟାରପୋର୍ଟରେ ତାଙ୍କର ପରୀକ୍ଷା ହୋଇ ନେଗେଟିଭ ଥିବା ଜଣାପଡିଥିଲା। ତେବେ ସେ ମ୍ୟାନ୍‌ମାରରୁ ଫେରିିଥିବା ଖବର ପାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଏଚ୍‌ଓ ଅନୀତାରାଣୀ ରାଉତ ସୋମବାର ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଭେଟିଥିଲେ । ତାଙ୍କୁ ୨୮ ଦିନ ପର୍ଯ୍ୟବେକ୍ଷଣରେ ରଖାଯିବ, ସେ କାହା ସହିତ ମିଶିବେ ନାହିଁ, ମାସ୍କ ବ୍ୟବହାର କରିବେ ବୋଲି  ପରାମର୍ଶ ଦେଇଥିଲେ। ଏଥିସହ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ମାନି ଚାଲିବା ପାଇଁ ସର୍ତ୍ତାବଳୀରେ ଦସ୍ତଖତ କରାଇଥିଲେ। ସେହିପରି ଏହି ବ୍ଲକ ମଞ୍ଜୁରିରୋଡ଼ ଅଞ୍ଚଳ ରାଜେନ୍ଦ୍ରପୁର ପଞ୍ଚାୟତ ଏକ ଗାଁର ଜଣେ ଯୁବକ ଆଫ୍ରିକା ମହାଦେଶର ମରିସସ୍‌ରେ ରହି ସୋମବାର ଗ୍ରାମକୁ ଫେରିଛନ୍ତି। ସେ ଆଫ୍ରିକାରୁ ମୁମ୍ବାଇ ଦେଇ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଟ୍ରେନ ଯୋଗେ ଘରକୁ ଆସିଛନ୍ତି। ଏ ନେଇ ସ୍ଥାନୀୟ ଲୋକ ପୋଲିସକୁ ଜଣାଇବା ପରେ ଯୁବକ ଜଣକ ଭଦ୍ରକ ଜିଲା ଚିକିତ୍ସାଳୟରେ ପହଞ୍ଚି ଆବଶ୍ୟକ ପରାମର୍ଶ ନେଇଥିବା ଜଣାଯାଇଛି।