Categories: ମେଟ୍ରୋ

ବିଦେଶ ଫେରନ୍ତାଙ୍କ ନାମରେ ମାମଲା ରୁଜୁ

ବାରଙ୍ଗ,୨୫।୩ (ଡି.ଏନ.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଚାରିଆଡ଼େ ନୀରବତା ଖେଳିଯାଇଛି। ନନ୍ଦନକାନନ, ବାରଙ୍ଗ ଓ ଚନ୍ଦକା ଅଞ୍ଚଳରେ ପୋଲିସ ରାସ୍ତାବନ୍ଦ କରି କାଁଭାଁ ଯାଉଥିବା ଲୋକମାନଙ୍କୁ ରୋକି ଚେତାବନୀ ସହ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବିଦେଶରୁ ଫେରି ନିଜ ନାମ ପଞୀକରଣ କରୁ ନ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। ଫଳରେ ଜଣେ ବ୍ୟକ୍ତି ବିଦେଶରୁ ଫେରି ବାରଙ୍ଗସ୍ଥିତ ଘରେ ରହିଥିବାବେଳେ ତାଙ୍କ ନାମ ପଞ୍ଜୀକରଣ କରି ନ ଥିବାର ବୁଧବାର ଥାନାରେ ଯୁବକ ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ଥାନାଧିକାରୀ ଶଶିକାନ୍ତ ରାଉତ ଗ୍ରାମକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ବାରଙ୍ଗ ସରକାରୀ ଡାକ୍ତରଖାନାକୁ ନେଇ ଛାଡିବା ସହ ପରୀକ୍ଷା କରି ଥାନାରେ ଦେଖାକରିବାକୁ କହିଥିଲେ। ବାରଙ୍ଗରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯୁବକ କଟକ ଏସସିବିକୁ ଯାଇ ପରୀକ୍ଷଣ କରି ୧୪ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସେଠାରୁ ବ୍ୟକ୍ତିଜଣଙ୍କ ଖସି ପଳାଇ ଆସିଥିବାର କେତେକ ସ୍ଥାନୀୟ ଯୁବକ ଥାନାକୁ ଜଣାଇଥିଲେ। ପୋଲିସ ଏ ନେଇ ସରକାରୀ ନିୟମକୁ ନ ମାନିବା ଓ ଅବହେଳା କରୁଥିବା ଅଭିଯୋଗରେ ନଂ. ୫୦/୨୦ରେ ଏକ ମାମଲା ରୁଜୁ କରିଛି। ଏହାସହ ବ୍ୟକ୍ତିଙ୍କୁ ଧରି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସସିବି ବଡ଼ ମେଡିକାଲକୁ ପଠାଇ ଦେଇଛି।

Share