ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ ଜୀବନ। ସେଇଥିପାଇଁ ତ ଗାଁ ଏବେ ଲାଗୁଛି ଖାଁ ଖାଁ। କେବଳ କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ରହିଯାଇଛନ୍ତି ଏଠି। ଶ୍ରୀହୀନ ପାଲଟିଲାଣି ଗାଁ। ହେଲେ ଏସବୁର ଊର୍ଦ୍ଧ୍ୱରେ ଅଛନ୍ତି କିଛି ବ୍ୟକ୍ତି। ଯେଉଁମାନେ କି ବିଦେଶରେ ଭଲ ଚାକିରି ଓ ମୋଟା ଅଙ୍କର ଦରମା ପାଉଥିଲେ ବି ଭୁଲି ପାରି ନାହାନ୍ତି ନିଜ ଗାଁକୁ। ଫେରିଛନ୍ତି ଓ ଅଣ୍ଟା ଭିଡ଼ିଛନ୍ତି ତା’ର ଉନ୍ନତି ପାଇଁ। କେହି କେହି ତ ବିଦେଶରେ ଥାଇ ବି କରୁଛନ୍ତି ଗାଁର ଉନ୍ନତି ପାଇଁ କାମ….
ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ: ଆମେରିକାରେ ବୈଜ୍ଞାନିକ ଥିଲେ। ତେଲ ବଦଳରେ ପାଣିରେ ଗାଡ଼ି ଚଳାଇବା ପ୍ରକ୍ରିୟା ଉପରେ ଗବେଷଣା କରୁଥିଲେ। ଆଉ ମାସକୁ ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ। ହେଲେ ଦିନେ ଇଣ୍ଟରନେଟ୍ରୁ ଏକ ଖବର ପଢ଼ିବା ପରେ ମନ ତାଙ୍କର ଗାଁ ମୁହଁା ହେବାକୁ ଲାଗିଲା। ବିଦେଶ ମାଟି ଓ ଭଲ ଦରମାର ମୋହ ତାଙ୍କୁ ଆଉ ବାନ୍ଧି ରଖିପାରିଲାନି। ଖବରଟି ଥିଲା ଭାରତର ଚାଷୀ ମୃତ୍ୟୁସଂଖ୍ୟା ବୃଦ୍ଧି, ଯାହା ତାଙ୍କୁ ବ୍ୟଥିତ କରିଥିଲା। କଥାଟିକୁ ସେ ବେଶ୍ ଗୁରୁତ୍ୱର ସହ ନେଇଥିଲେ। ଆଉ ବିଦେଶ ମାଟିରେ ପାଉଥିବା ମୋଟା ଅଙ୍କର ଦରମା ଛାଡ଼ି କୃଷକଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ଫେରି ଆସିଥିଲେ ଗାଁକୁ, ନିଜ ଭିଟାମାଟିକୁ। ଏହି ଯୁବ ବୈଜ୍ଞାନିକ ଜଣକ ହେଉଛନ୍ତି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଖୁଣ୍ଟୁବନ୍ଧ ଗ୍ରାମର ଡା. ରମେଶ ଚନ୍ଦ୍ର ବିଶ୍ୱାଳ। ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିବା ପରେ ଚାହାଳୀ ହାଇସ୍କୁଲରେ ଦଶମ ଶ୍ରେଣୀ ଯାଏଁ ପଢିଥିଲେ। ଯୁକ୍ତ ୨ ଓ ଯୁକ୍ତ ୩ ନୟାଗଡ଼ କଲେଜରେ। ରେଭେନ୍ସାରେ ପିଜି, କଲିକତା ଯାଦବପୁର ବିଶ୍ୱବିଦ୍ୟାଳୟରେ ଏମ୍ଟେକ୍ କରିବା ପରେ ଆଇଆଇଟି ଖଡ଼ଗପୁରରେ ପିଏଚ୍ଡି କରିଥିଲେ। ଏହାପରେ ଆମେରିକାରେ ବୈଜ୍ଞାନିକଭାବେ କାର୍ଯ୍ୟ କଲେ। ତେଲ ବଦଳରେ ପାଣିରେ କିଭଳି ଗାଡ଼ି ଚଲାଇ ହେବ ତା’ଉପରେ ଗବେଷଣା କରୁଥିଲେ। ହେଲେ ଇଣ୍ଟରନେଟ୍ରେ ସେହି ଦୁଃଖଦ ଖବର ପଢ଼ିବା ପରେ ରମେଶ ଗାଁକୁ ଚାଲି ଆସିଲେ। ଡା. ରମେଶ କହନ୍ତି, ‘ଭଲ ରୋଜଗାର ଲକ୍ଷ୍ୟରେ ଆଜିକାଲି ଲୋକେ ଗାଁରୁ ସହର ଓ ବିଦେଶ ଚାଲି ଯାଉଛନ୍ତି। ଫଳରେ ଗାଁରେ ଲୋକସଂଖ୍ୟା କମିବାକୁ ଲାଗିଛି। ଆଉ ଜମି ପଡ଼ିଆ ପଡୁଛି। ମୁଁ ଚିନ୍ତା କଲି ଗାଁରେ ଯଦି ରୋଜଗାରର ସୁଯୋଗ ସୃଷ୍ଟି ତଥା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରି ହୁଅନ୍ତା, ତେବେ ନିଜ ଉତ୍ପାଦିତ ଦ୍ରବ୍ୟକୁ ସେମାନେ ସୁଲଭ ମୂଲ୍ୟରେ ବିକ୍ରି କରିପାରନ୍ତେ। ଆଉ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ଅନେକ ଚିନ୍ତା କରିବାପରେ ଶେଷରେ ଆରମ୍ଭ କଲି ‘ଗାଁ ହାଟ’ ବା ‘ଭିଲା ମାର୍ଟ’ ନାମକ ଷ୍ଟାର୍ଟ ଅପ୍, ଯାହାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମରେ ଥିବା ଚାଷୀଙ୍କ ପନିପରିବାକୁ ଉଚିତ ମୂଲ୍ୟ ଦେଇ କିଣିବା ସହିତ ଗ୍ରାହକମାନଙ୍କୁ ହାତ ପାଆନ୍ତାରେ ବଜାରର ସୁବିଧା ଯୋଗାଇଦେବା। ବଜାରର ସୁବିଧା ହେଲେ ଚାଷୀମାନେ ଶୋଷଣର ଶିକାର ହେବେ ନାହିଁ ଓ ଚାଷ କରି ଚାଷୀ ଆର୍ଥିକ ସୁଦୃଢ଼ ହୋଇପାରିବେ। ଭଲ ଚାକିରି ଛାଡି ଗାଁରେ ଏଭଳି କାମ କରିବା କଥା ଶୁଣି ପ୍ରଥମେ ସବୁ ପରିବାରଙ୍କ ଭଳି ମୋ ପରିବାର ଲୋକ ବି ବିରୋଧ କରିଥିଲେ। ହେଲେ କିଛି ଦିନପରେ ସେମାନେ ମାନି ଯାଇଥିଲେ। ଆଉ ଚାଷୀଙ୍କ ଜିନିଷକୁ ଉପଯୁକ୍ତ ମୂଲ୍ୟରେ କିଣିବା ସହ ଗ୍ରାହକମାନେ ଯେପରି ଶୋଷଣର ଶିକାର ନ ହେବେ ସେଥିପାଇଁ ଗାଁରେ ଏହି ହାଟ ଆରମ୍ଭ କଲି। ପ୍ରତିଦିନ ଆମର ‘ଗାଁ ହାଟ’ ନାମକ ଦୁଇଟି ଗାଡ଼ି ଗାଁ ଗାଁ ବୁଲି ଚାଷୀଙ୍କ ଉତ୍ପାଦିତ ଜିନିଷ ସୁଲଭ ମୂଲ୍ୟରେ କିଣିଥାଏ। ତା’ସହ ସେଗୁଡ଼ିକୁ ଗାଁ ଗାଁରେ ବୁଲି ବିକା ମଧ୍ୟ ଯାଏ। ନୟାଗଡ଼ ସହର ଉପକଣ୍ଠ ରିଲାଏନ୍ସ ପେଟ୍ରୋଲ ଟାଙ୍କି ନିକଟରେ, ମହିଳା ମହାବିଦ୍ୟାଳୟ ଗଳି ଓ ଖୁଣ୍ଟୁବନ୍ଧ ଗ୍ରାମରେ ଆମର ତିନୋଟି ଆଉଟଲେଟ୍ ଅଛି। ଉକ୍ତ ଆଉଟଲେଟ୍ ଷ୍ଟୋରରେ ଚାଷୀ ନିଜ ଉପତ୍ାଦିତ ପନିପରିବାକୁ ବିକ୍ରି କରୁଛନ୍ତି। ଆଉ ହାତାହାତି ଟଙ୍କା ପାଇପାରୁଛନ୍ତି। ପରେ ‘ଗାଁ ହାଟ’ ଗାଡ଼ି ପହଂଚି ଆଉଟ୍ଲେଟ୍ରୁ ଏସବୁକୁ ସଂଗ୍ରହ କରେ। ଆଉ ଜିନିଷର ଚାହିଦା ଥିବା ସ୍ଥାନରେ ସେଗୁଡ଼ିକୁ ବିକ୍ରି କରାଯାଏ। ବର୍ତ୍ତମାନସୁଦ୍ଧା ଜିଲାର ପାଖାପାଖି ୧୫ହଜାର ଚାଷୀଙ୍କଠାରୁ ବିଭିନ୍ନ ପନିପରିବା ସଂଗ୍ରହ କରି ବିକ୍ରି କରାଯାଉଛି।’ ଡା. ରମେଶ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଭିଲାମାର୍ଟ ଧୀରେ ଧୀରେ ଆଗକୁ ପାଦ ବଢ଼ାଇବାରେ ଲାଗିଛି। ଆଗକୁ ସେମାନଙ୍କର ଯୋଜନା ରହିଛି ନୟାଗଡ଼ ଜିଲାରେ ଥିବା ୧୭୦୦ଟି ଗ୍ରାମ ମଧ୍ୟରୁ ୧୦୦୦ଟି ବଡ଼ ଗାଁରେ ଆଉଟ୍ଲେଟ୍ ଷ୍ଟୋର ଖୋଲିବା। ତେବେ ଅନ୍ୟ ଗାଁରେ ‘ଗାଁ ହାଟ’ ଗାଡ଼ି ହିଁ ଚାଲିବ। ତା’ସହ ଚାଷୀଙ୍କ ପନିପରିବାକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର କରିବା। ସେହିଭଳି ଚାଷୀମାନଙ୍କୁ କୃଷି ବିଷୟରେ ବୈଜ୍ଞାନିକ ଜ୍ଞାନ କୌଶଳର ଶିକ୍ଷା ଦେବା ଲକ୍ଷ୍ୟ ବି ରଖାଯାଇଛି। ବର୍ତ୍ତମାନ କେବଳ ବଡ଼ବଡ଼ ଗ୍ରାମରେ ଆଉଟଲେଟ୍ ଖୋଲା ହୋଇଛି। ଆଗକୁ ଛୋଟ ଗ୍ରାମରେ ବି ଗାଡ଼ି ଯାଇ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ।
ଗାଁକୁ ଇକୋ-ଭିଲେଜ୍ କରିବା ଲକ୍ଷ୍ୟରେ ଶିବାଜୀ: ସୁବର୍ଣ୍ଣପୁର ଜିଲା, ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମର ଶିବାଜୀ ପଣ୍ଡା(୪୫)। ସେ କଥା କହିପାରନ୍ତିନି କି ଶୁଣିପାରନ୍ତିନି। ତେବେ ସେ ଜନ୍ମରୁ ଏମିତି ନ ଥିଲେ। ୧୦ ବର୍ଷ ବୟସବେଳକୁ ଧୀରେ ଧୀରେ ପାଲଟି ଯାଇଥିଲେ ମୂକ ଓ ବଧିର। କିନ୍ତୁ ଏହି ଅଭାବ ତାଙ୍କ ପାଦକୁ ରୋକି ପାରି ନ ଥିଲା। ଗାଁ ସ୍କୁଲରେ ମାଟ୍ରିକ୍, ସୋନପୁର କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିବା ପରେ ଦିଲ୍ଲୀର ଏକ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ପ୍ରଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତା’ସହ ଉଚ୍ଚ ଶିକ୍ଷା ବି ଜାରି ରଖିଲେ। ୨୦୦୪ରେ ତାଙ୍କୁ ନେଦରଲାଣ୍ଡ, ହଲାଣ୍ଡସ୍ଥ ମାକ୍ସ ପ୍ଲାଙ୍କ ଇନ୍ଷ୍ଟିଚ୍ୟୁଟ୍ ଫର୍ ସାଇକୋଲିଙ୍ଗୁଇଷ୍ଟିକ୍ରେ ଅଧ୍ୟାପନା କରିବାର ସୁଯୋଗ ମିଳିଲା। ୨ ବର୍ଷ ସେଠାରେ ଚାକିରି କରିବା ପରେ ସେ ଇଂଲଣ୍ଡ ଗଲେ। ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ ଲାଙ୍କାଶାୟରରେ ବରିଷ୍ଠ ଅଧ୍ୟାପକ ଭାବେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଡିଇଏଏଫ ଷ୍ଟଡି ଓ ସାଙ୍କେତିକ ଭାଷାରେ ଶିକ୍ଷାଦାନ କଲେ। ବାର୍ଷିକ ୪୨ରୁ ୪୮ ଲକ୍ଷ ଟଙ୍କା ଦରମା ପାଉଥିଲେ। ତେବେ ସଫଳତାର ଅନେକ ପାହାଚ ଚଢି ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ମଧ୍ୟ ତାଙ୍କ ମନ ଗାଁକୁ ଝୁରୁଥିଲା। ସ୍ଥିତି ଏମିତି ହେଲା ଯେ, ଶେଷରେ ୨୦୧୬ରେ ସେ ଚାକିରି ଛାଡ଼ି ଚାଲିଆସିଲେ ନିଜ ଗାଁକୁ। ଆଉ ଲାଗିଗଲେ ଗାଁର ଉନ୍ନତି ପାଇଁ। ଗାଁରେ ‘ରୁରାଲ ଲାଇଫ ଲାଇନ’ ନାମକ ଟ୍ରଷ୍ଟ ଗଠନ କଲେ। ଏହି ଟ୍ରଷ୍ଟ ଅଧୀନରେ ସିନ୍ଦୁରପୁର ଗାଁରେ ‘ହାପି ହ୍ୟାଣ୍ଡସ୍’ ନାମକ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରତିଷ୍ଠା କଲେ। ୪ ରୁ ୧୩ ବର୍ଷର ପିଲା ଏଠାରେ ପଢୁଛନ୍ତି। ଏହି ବିଦ୍ୟାଳୟର ବିଶେଷତ୍ୱ ହେଉଛି ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଓ କର୍ମଚାରୀ ମଧ୍ୟ ଭିନ୍ନକ୍ଷମ। ସାଙ୍କେତିକ ଭାଷା, ଓଡ଼ିଆ ଓ ଇଂରାଜି ଭାଷାରେ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପାଠପଢ଼ା ଯାଇଥାଏ। ୬ ବର୍ଷ ଧରି ବିନା ସରକାରୀ ସହାୟତାରେ ୩୧ ଜଣ ଭିନ୍ନକ୍ଷମ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି। କେବଳ ସେତିକି ନୁହେଁ ଆଜିର ଯୁଗରେ ରାସାୟନିକ ପଦାର୍ଥ ବିନା ଚାଷ କାର୍ଯ୍ୟ ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଶିବାଜୀ ନିଜ ଉଦ୍ୟମ ବଳରେ ଉଲୁଣ୍ଡା ବ୍ଲକର ଲକ୍ଷ୍ମଣପୁର, ମହାନଦୀକୂଳରେ ୫ ଏକର ଜମିରେ ପ୍ରତିଷ୍ଠା କରିଛନ୍ତି ‘ସିଖା ଇକୋ ଲର୍ନିଂ ଭିଲେଜ’। ଏଠି ସେ ଗୋବର ଖତ ଓ ପାରମ୍ପରିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଉତ୍ପାଦନ କରୁଛନ୍ତି । ମାତ୍ର ୩ ବର୍ଷ ଭିତରେ ଜୈବିକ ପଦ୍ଧତିରେ ଆମ୍ବ, ପିଜୁଳି, ଲିଚୁ, ଲେମ୍ବୁ, କମଳା, ପଣସ, ଅଙ୍ଗୁରୁ, ସେଓ, କରମଙ୍ଗା, ସପେଟା, କାଜୁ, ନଡ଼ିଆ, ଜାମୁ, ରୁଦ୍ରାକ୍ଷ, କଦଳୀ ଆଦି ପ୍ରାୟ ୩୦୦ ପ୍ରକାରର ଫଳ ଗଛ ଲଗାଇଛନ୍ତି। ବିଭିନ୍ନ ପ୍ରକାର ପନିପରିବା ଓ ଶାଗ ମଧ୍ୟ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଛି। ଏହି ସବୁ ପନିପରିବାକୁ ସେ ନିଜ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଖାଇବା ପାଇଁ ଯୋଗାଇଥାନ୍ତି। ଏହି ଇକୋ ଲର୍ଣ୍ଣିଂ ଭିଲେଜର ଆଉ ଏକ ବିଶେଷତ୍ୱ ହେଉଛି ଏଠି ବିଦ୍ୟୁତ୍ ସଂଯୋଗ କରାଯାଇନି। ସୌରଶକ୍ତି ମାଧ୍ୟମରେ ଫ୍ରିଜ୍, ପଙ୍ଖା, ଓ୍ବାଶିଂ ମେଶିନ, କୁଲର, ପାଣି ପମ୍ପ ଆଦି ବିଭିନ୍ନ ଯନ୍ତ୍ରାଂଶ ଚାଲିଥାଏ। ଜୈବିକ ଚାଷ ପ୍ରଣାଳୀ ଓ ସୌରଶକ୍ତିର ସୁବିନିଯୋଗର ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ଖାଲି ଯେ ଉଦ୍ୟାନ ଚାଷ ହେଉଛି ତାହା ନୁହେଁ, ମୂକ ଓ ବଧିର ଛାତ୍ରୀଛାତ୍ରଙ୍କ ଶିକ୍ଷା ପାଇଁ ବିଭିନ୍ନ ସାମଗ୍ରୀ ମଧ୍ୟ ରହିଛି। ଶିବାଜୀଙ୍କ ସ୍ବପ୍ନ ଏତିକିରେ ସୀମିତ ନୁହେଁ। ସାଙ୍କେତିକ ଭାଷାର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ତାଙ୍କର ସ୍ବପ୍ନ। ବର୍ତ୍ତମାନ ଦେଶ ଓ ବିଦେଶରୁ କିଛି ଛାତ୍ର ଓ ଶିକ୍ଷକ ଏଠାକୁ ଆସି ସାଙ୍କେତିକ ଭାଷା ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଉଗାଣ୍ଡାର ମଙ୍କିଙ୍ଗା ରିବିକା, ଅହିରିଜା ନୋହା, ଗୁଜରାଟର ଜିତେଶ ପ୍ରଜାପତି, ନୀରବ ପାଲ ଓ ମୁମ୍ବାଇର ଜଗଦୀଶ କୁମାର ଚୌଧୁରୀ ପ୍ରମୁଖ ଦିବ୍ୟାଙ୍ଗ ଏଠାରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଏହାବାଦ୍ ଜିରୋ ବଜେଟ ନେଚୁରାଲ ଫାର୍ମିଂ(ଜେଡବିଏନଏଫ୍) ପଦ୍ଧତିରେ ଚଳିତ ବର୍ଷ ପ୍ରାୟ ଦେଢ଼ ଏକର ଜମିରେ ଧାନ ଚାଷ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲେ। ଆଉ ଜୀବାମୃତ(ଦେଶୀ ଗାଈର ପରିସ୍ରା ଓ ଗୋବର) ବ୍ୟବହାର କରି ଜୈବିକ ଉପାୟରେ ଚାଷ କରି ଭଲ ଫସଲ ପାଇବାରେ ସକ୍ଷମ ବି ହୋଇଛନ୍ତି । ଆଗକୁ ଏହି ଚାଷକୁ ବ୍ୟାପକ କରିବା ପାଇଁ ଉଦ୍ୟମ କରିବେ ଓ ଚାଷୀଙ୍କୁ ବୁଝାଇବେ ବୋଲି ସେ କହନ୍ତି । ବିଭିନ୍ନ ସମୟରେ ଅଞ୍ଚଳର କୃଷକମାନଙ୍କୁ ସେ ଜୈବିକ ପଦ୍ଧତିର ଉପାଦେୟତା ଏବଂ କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଆଗାମୀ ଦିନରେ ଜୈବିକ ଚାଷ ପ୍ରଣାଳୀ ଓ ସୋଲାର ସିଷ୍ଟମ୍ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ନାରୀ ଶିକ୍ଷା ପାଇଁ କଲେ ଅନେକ ଶିକ୍ଷାନୁଷ୍ଠାନ: ବରଗଡ଼ ଜିଲା, ଭଟ୍ଲୀ ବ୍ଲକର ଏକ ଛୋଟିଆ ଗାଁ ମୁଲ୍ବାର୍। ଏହି ଗାଁର ସାହେବ ସାହୁ ପେସାରେ ଡାକ୍ତର। ବିଦେଶରେ ଦୀର୍ଘବର୍ଷ ରହି ସେବା ପ୍ରଦାନ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେକି ଏମ୍ସରେ ପଢିବାର ସୁଯୋଗ ପାଇଥିଲେ। ମା’ ଶକୁନ୍ତଳା ଓ ବାପା ବିଦ୍ୟାଧର ସାହୁ। ବଡ଼ ଭାଇ ମନସ୍ବୀଙ୍କ ପାଖରେ ରହି ଜିଏମ୍ କଲେଜରେ ଯୁକ୍ତ ଦୁଇ ପଢିଥିଲେ। ପରେ ବୁର୍ଲା ମେଡିକାଲ କଲେଜ୍ରେ ପଢିବା ପାଇଁ ସିଲେକ୍ଟ ହୋଇଥିଲେ ହେଁ ୧୯୬୪, ଏମ୍ସର ଏଣ୍ଟ୍ରାନ୍ସରେ ସଫଳ ହେବା ଯୋଗୁ ସେ ନୂଆଦିଲ୍ଲୀସ୍ଥ ଏମ୍ସରେ ଏମ୍ବିବିଏସ୍ କଲେ। ଏହାପରେ ମେଡିକାଲ ପ୍ରାକ୍ଟିସ୍ ପାଇଁ ସେ ଚାଲିଗଲେ ଆମେରିକା। ସେଠି ସେ ଶିଶୁରୋଗ ବିଶେଷଜ୍ଞ ସହ ପ୍ରିମାଚିୟୋର ଓ ସିକ୍ ନ୍ୟୁବର୍ନଙ୍କର ବିଶେଷଜ୍ଞ ହେଲେ। ହେଲେ ମନରୁ ଲିଭି ନ ଥିଲା ନିଜ ଗାଁ ପାଇଁ ଥିବା ଭଲ ପାଇବା। ମଝିରେ ମଝିରେ ତାହା ଉଙ୍କି ମାରୁଥିଲା। ଆଉ ନିଜ ଅଞ୍ଚଳ ପାଇଁ କିଛି କରିବାକୁ ପ୍ରବର୍ତ୍ତାଉ ଥିଲା। ତେଣୁ ସେ ସମ୍ବଲପୁରରେ ଏକ ଟ୍ରଷ୍ଟ ଗଠନ କଲେ। ଚାହଁିଥିଲେ ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ କରିବାକୁ। କିନ୍ତୁ କୌଣସି କାରଣବଶତଃ ତାହା ସମ୍ଭବ ହୋଇପାରିଲା ନାହିଁ। ଏହାପରେ ସେ ‘ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ’ ଗଠନ କଲେ। ସେହି ସମୟରେ ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ ହେଲା। ଆଉ ସେ ବିଦେଶରୁ ଆସି ୨୦୦୪-୦୫ରେ ଏହାର ଏମ୍ଡି ହେଲେ। ନାରୀ ଶିକ୍ଷା ଓ ନାରୀ ସଶକ୍ତୀକରଣ ଉପରେ ତାଙ୍କର ଗୁରୁତ୍ୱ ସବୁବେଳେ ରହିଥିଲା। ତେଣୁ ସେ ତାଙ୍କର ଅଧିକ ଅର୍ଥ ଏହି କାର୍ଯ୍ୟ ପାଇଁ ପ୍ରଦାନ କରିବାକୁ ଲାଗିଲେ। ନିଜ ଗାଁ ମୁଲ୍ବାରରେ ‘ଶକୁନ୍ତଳା ବିଦ୍ୟାଧର ବିଦ୍ୟାଳୟ’ ନିର୍ମାଣ କଲେ। ତା’ସହ ଏକ ବାଳିକା ହଷ୍ଟେଲ ବି କଲେ। ଏହାପରେ ଗାଁରେ ଏକ ବିଜ୍ଞାନ କଲେଜ କରିବାକୁ ଚାହିଁଥିଲେ। ହେଲେ ତାହା ହୋଇପାରି ନ ଥିଲା। ତେବେ ସେହି ସମୟରେ ତାଙ୍କର ଦେଖା ଭଟ୍ଲୀ, ‘ଦଧିବାମନ କଲେଜ’ର ପ୍ରିନ୍ସିପାଲ ପ୍ରଦୀପ ହୋତାଙ୍କ ସହ ହୋଇଥିଲା। ସେ ଜଣେଇଲେ ଯେ, ତାଙ୍କ କଲେଜରେ ବିଜ୍ଞାନ ବିଭାଗ ଖୋଲାଯିବା ଲାଗି ସରକାର ୨୫ ଲକ୍ଷ ଡିପୋଜିଟ୍ ମାଗୁଛନ୍ତି। ଏହା ଶୁଣି ଡା. ସାହୁ ଖୁସିରେ ୧୨.୫ ଲକ୍ଷ ନିଜ ଟ୍ରଷ୍ଟରୁ ପ୍ରଦାନ କରିଥିଲେ। ତା’ସହ ଏକ ଗର୍ଲସ୍ ହଷ୍ଟେଲ କରିବାକୁ ୫୫ ଲକ୍ଷ ପ୍ରଦାନ କଲେ। ଏମିତିକି ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଝିଅଙ୍କୁ ଉକ୍ତ କଲେଜରେ ମାଗଣାରେ ଆଡମିଶନ୍ କରାଇଲେ। ଆଉ ମାସିକ ୩୦୦ ଟଙ୍କା ବୃତ୍ତି ପ୍ରଦାନ କଲେ। ସେତେବେଳେ ବିଜ୍ଞାନରେ ୬୪ ସିଟ୍ ଥିଲା। ତେଣୁ ୬୪ ସେଟ୍ ବହି କିଣି ପ୍ରଥମ ବର୍ଷ ପିଲାଙ୍କୁ ଦିଆଗଲା। ଝିଅଙ୍କ କୋଚିଂ ପାଇଁ ଆସୁଥିବା ଗେଷ୍ଟ ଫାକଲ୍ଟିଙ୍କୁ ବି ଟ୍ରଷ୍ଟ ଟଙ୍କା ଦେଇଥିଲା। ଏହାବାଦ୍ ଭଟ୍ଲୀରେ ‘ନିବେଦିତା ପବ୍ଲିକ ସ୍କୁଲ’ ନାମକ ଇଂଲିଶ ମିଡିୟମ ସ୍କୁଲ ବି ଗଠନ କରିଛନ୍ତି। ଏକ ଆଇଟିଆଇ କଲେଜ ବି କରିଛନ୍ତି। ଏଥିରେ ହୋଇଥିବା ସବୁ ଖର୍ଚ୍ଚ ସେ ନିଜେ ବହନ କରିଥିଲେ। ୨୦୦୮-୨୦୧୧ରେ ବି ସେ କଳିଙ୍ଗ ହସ୍ପିଟାଲରେ ଏମ୍ଡିଭାବେ କାର୍ଯ୍ୟ କରିଛନ୍ତି। ଓଡିଶାର ଏହି ରହଣୀ ସମୟରେ ସେ ନିଜ ଅଞ୍ଚଳର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ଯେଉଁ ଗାଁରେ ସେ ପଢୁଥିଲେ ସେ ଗଁାର ଉନ୍ନତି ପାଇଁ ବି ତାଙ୍କର ଅନେକ ଅବଦାନ ରହିଛି। ସେ ଗାଁଟି ହେଉଛି କମଗାଁ। ସେଠାରେ ଥିବା ଯୁକ୍ତ ଦୁଇ କଲେଜ ପାଇଁ ସେ ଏକ ଗର୍ଲସ୍ ହଷ୍ଟେଲ ନିର୍ମାଣ କରିଛନ୍ତି। ତା’ସହ ‘ଶକୁନ୍ତଳା ବିଦ୍ୟାଧର ଡିଗ୍ରୀ କଲେଜ’ ନାମକ ଏକ ଯୁକ୍ତ ୩ କଲେଜ କରିଛନ୍ତି ଓ ତା’ପାଇଁ ଗର୍ଲସ୍ ହଷ୍ଟେଲ ବି କରିଛନ୍ତି। ଭଟ୍ଲୀ ଗାଁର ୧୦ଟି ସ୍କୁଲକୁ ୧୦ ହଜାର ଟଙ୍କାର ଲାଇବ୍ରେରି ପୁସ୍ତକ ବି ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଛି। ତା’ସହ ୨୦-୨୫ ସ୍କୁଲକୁ ବିଜ୍ଞାନାଗାର କରିବା ଲାଗି ଉପକରଣ ପ୍ରଦାନ କରାଯାଇଛି। ସମ୍ବଲପୁର ପବ୍ଲିକ୍ ଲାଇବ୍ରେରିକୁ ମଧ୍ୟ ସେ ତିଆରି କରିଛନ୍ତି। ଡା. ସାହୁ କହନ୍ତି, ‘ମୋ ଜୀବନର ଦର୍ଶନ ହେଉଛି ଅର୍ଥକୁ ଲୁଚାଇ ନ ରଖି ଦାନ କରିବା। ଆବଶ୍ୟକତା ପୂରଣ ପରେ ଯାହା ଅର୍ଥ ବଳକା ହୁଏ ତାକୁ ସମାଜର ଉନ୍ନତି ପାଇଁ ଦାନ କରିବାରେ ମତେ ଆନନ୍ଦ ମିଳେ। କାରଣ ଏଇ ସମାଜ ଆମକୁ ମଣିଷ କରିଛି। ତା’ର ଉନ୍ନତି ପାଇଁ ସମସ୍ତେ କିଛି ନା କିଛି କରିବା ଉଚିତ। ତେବେ ମୁଁ ଯାହା ବି କରିଛି ସେସବୁ ମୁଁ ଏକା କେବେବି କରିପାରି ନ ଥାଆନ୍ତି। ଏଥିରେ ମୋ ବଡ଼ ଭାଈ ମନସ୍ବୀ ମତେ ବହୁତ ସାହାଯ୍ୟ କରିଛନ୍ତି। ପ୍ରଦୀପ ହୋତା, ରବି ସାହୁ, ପ୍ର. କାମଦେବ ସାହୁ ଆଦିଙ୍କ ସହ ମିଶି ମୋ ଭାଈ ମୁଁ ଦେଉଥିବା ଅର୍ଥର କିଭଳି ସୁବିନିଯୋଗ ହେବ ତଦାରଖ କରୁଥିଲେ। ନାରୀ ଶିକ୍ଷାକୁ ତ ମୁଁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ଏହାବାଦ୍ ମତେ ପରିବେଶ ଚିନ୍ତା ବି ଘାରିଥାଏ। ତେଣୁ ଆମେ ମିଶି ୫ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରିଛୁ। ୫୦ରୁ ଉର୍ଦ୍ଧ୍ୱ ଟ୍ୟୁବଓ୍ବେଲ ବି ଖୋଳାଯାଇଛି।’ ଏସବୁ ବାଦ୍ ଡା. ସାହୁଙ୍କ ପାଖକୁ ଯିଏବି ସାହାଯ୍ୟ ପାଇଁ ଯାଆନ୍ତି, ତାଙ୍କୁ ସେ ଖାଲି ହାତରେ ଛାଡନ୍ତି ନାହିଁ। କିଛି ନା କିଛି ଆର୍ଥିକ ସାହାଯ୍ୟ ନିଶ୍ଚିତଭାବେ କରନ୍ତି।
ଉନ୍ନତି, ଗାଁର ଉନ୍ନତିରେ ସମ୍ଭବ। ଆଉ ଗାଁର ଉନ୍ନତି କେବଳ ତାର ଶିକ୍ଷିତ ଯୁବପିଢିଙ୍କ ସହଯୋଗରେ ହୋଇପାରିବ। ସେଥିପାଇଁ ଯେବେ ଯୁବପିଢିଙ୍କ ମନରୁ ସହର ଓ ବିଦେଶର ମୋହ କମି ନିଜ ମାଟି ପାଇଁ ଭଲପାଇବା ବଢିବ ସେବେ ଯାଇ ଗାଁ ପାଲଟିବ ସ୍ବର୍ଗପୁରୀ।
-ଶିବାନୀ ମହାନ୍ତି
ରଞ୍ଜନ ପ୍ରଧାନ, ମୃତ୍ୟୁଞ୍ଜୟ ଶତପଥୀ