ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ଆଇଟି ଫାର୍ମଗୁଡିକୁ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅଧିକାଂଶ ଆଇଟି ଫାର୍ମ ଭୁବନେଶ୍ୱର ଓ କଟକରେ ଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ସେଗୁଡିକୁ ମଧ୍ୟ ନୋଟିସ ହୋଇଛି। ବିଦେଶ ଯାଇଥିବା ଓ ଫେରିଥିବା କର୍ମଚାରୀଙ୍କ ସମ୍ପର୍କରେ ତତ୍ୟ ଦେବାକୁ କୁହାଯାଇଛି। ସେମାନେ ଅଫିସ ନ ଯାଇ ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାମ କରି ନ ପାରିଲେ କମ୍ପାନୀ ନିୟମ ଅନୁସାରେ ଛୁଟିରେ ରହିବେ। କୌଣସି କର୍ମଚାରୀଙ୍କୁ ଥଣ୍ଡା, କାଶ ହେଉଥିଲେ ଅଫିସ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅତି ଆବଶ୍ୟକ ନ ପଡିଲେ କର୍ମଚାରୀଙ୍କୁ ବିଦେଶ ଯିବାକୁ ବାରଣ କରାଯାଇଥିବାବେଳେ ନିର୍ଦ୍ଦେଶ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି। ଏହାସହ ଯେଉଁ ବିଦେଶୀ ପର୍ଯ୍ୟଟକ ୧୦ଦିନ ପୂର୍ବରୁ ଆସିଛନ୍ତି ସେମାନଙ୍କୁ ପଚରାଉଚରା କରାଯିବା ସହ କଡ଼ା ନଜରରେ ରଖାଯାଉଛି। ସେମାନେ କେବେ ଓଡିଶାକୁ ଆସିଛନ୍ତି, ନିକଟରେ ସେମାନେ କେଉଁ ଦେଶକୁ ଯାଇଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ଏହାସହ ରାଜଧାନୀରେ ବିଭିନ୍ନ ହୋଟେଲ ଉପରେ ନଜର ରଖାଯାଇଥିବା କମିଶନର ସୂଚନା ଦେଇଛନ୍ତି।

Share