ବିଦେଶ ଯାତ୍ରାରେ ନ ଯାଇ ବି ସ୍ପାଇସ୍‌ ଜେଟ୍‌ ପାଇଲଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ବିଦେଶରୁ ସ୍ବଦେଶ ଫେରିଥିବା ବହୁ ଭାରତୀୟଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟ ମାର୍ଚ୍ଚରେ କୌଣସି ବିଦେଶ ଉଡ଼ାଣ କରି ନ ଥିଲେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷଣରେ ପଜିଟିଭ୍‌ ରିପୋର୍ଟ ମିଳିଛି। ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ସ୍ପାଇସ୍‌ ଜେଟ୍‌ ମୁଖପାତ୍ର ରବିବାର ସୂଚନା ଦେଇଛନ୍ତି। ପାଇଲଟଙ୍କ ସହିତ ସମ୍ପର୍କରେ ଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଇଲଟ ଜଣକ ଶେଷ ଥର ପାଇଁ ମାର୍ଚ୍ଚ ୨୧ରେ ଚେନ୍ନାଇରୁ ଦିଲ୍ଲୀ ଘରୋଇ ଉଡ଼ାଣ କରିଥିଲେ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ପାଇସ୍‌ ଜେଟ୍‌ ପକ୍ଷରୁ କୁହାଯାଇଛି।

Share