ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ବାଲିଆପାଳ,୧୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଅସ୍ତି ପଞ୍ଚାୟତର ବଢ଼ାପାଲ୍‌ ଗ୍ରାମରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ବିଦ୍ୟାଳୟକୁ ଥିବା ଚଲା ରାସ୍ତାକୁ ଜମି ମାଲିକ ବନ୍ଦ କରିଦେଇଛନ୍ତି। ଫଳରେ ସେମାନଙ୍କୁ ୨ଶହ ମିଟର ବଦଳରେ ୪କି.ମି. ରାସ୍ତା ବୁଲି କରି ପଡୁଛି। ଏହି ରାସ୍ତାକୁ ସାର୍ବଜନୀନ କରିବା ଦାବିରେ ୨୫ରୁ ୩୦ଜଣ ଛାତ୍ରୀଛାତ୍ର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ଜିଲା ଚାଇଲ୍ଡ ଲାଇନ୍‌ର ମୁଖ୍ୟ ପ୍ରଶାନ୍ତ କୁମାର ରାଉତ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଓ ପୋଲିସ ଅଧିକାରୀଙ୍କୁ ଉଚିତ୍‌ ପଦକ୍ଷେପ ନେବାକୁ ଅବଗତ କରାଇବା ସହିତ ବାଲିଆପାଳ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଘଟଣାକୁ ନେଇ ସାଧାରଣରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବରପାଇ ସିଆର୍‌ସି, ଏବିଇଓଙ୍କ ସହିତ ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ।