ସୋର, ୨୮ା୯(ଡି.ଏନ୍.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବର୍ଷା ଜଳରେ ଉବୁଟୁବୁ ହେଉଛି। ନର୍ଦ୍ଦମା ପାଣି ଶ୍ରେଣୀଗୃହକୁ ପଶିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟ ଗେଟ୍ ସାମ୍ନାରେ ଏକ ଉଚ୍ଚା ଡ୍ରେନ ଓ୍ବାଲ ପାଇଁ ଜଳ ନିଷ୍କାସନ ଠପ୍ ହୋଇଛି। ଏହି ସମସ୍ୟା ନେଇ ବିଦ୍ୟାଳୟ ପକ୍ଷରୁ ଜିଲାପାଳ, ଜିଲା ଶିକ୍ଷାଧିକାରୀ, ଡିପିସିଙ୍କ ସହ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ବି କେହି ଶୁଣୁନାହାନ୍ତି। ଶୁକ୍ରବାର ବିଦ୍ୟାଳୟ ଖୋଲା ହେବା ସମୟରେ ଶତାଧିକ ଅଭିଭାବକ ପହଞ୍ଚି ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଶିକ୍ଷୟିତ୍ରୀଶିକ୍ଷକ ଓ ପିଲାମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ପ୍ରଦୀପ କୁମାର ସାହୁ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିଥିଲେ ବି କୌଣସି ସମାଧାନ ହୋଇପାରି ନ ଥିଲା। ପରେ ଆସନ୍ତା ରବିବାର ଏକ ବୈଠକ କରାଯାଇ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଥିଲା।