Categories: ରାଜ୍ୟ

ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶକୁ ଅଭିଭାବକଙ୍କ ବିରୋଧ

ବାଲିଆ,୬।୬: ବିରିଡ଼ି ବ୍ଲକ ୨୨ ମୌଜା ବାରେଡ଼ିଆ ପଞ୍ଚାୟତର ଢିଅସାହିବିରି ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବା ଦର୍ଶାଇ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ବିଦ୍ୟାଳୟରେ ପଢୁଥିବା ୯ ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରିଛନ୍ତି। ବହୁ ପୁରାତନ ଏହି ବିଦ୍ୟାଳୟରେ ହିଁ ସେମାନଙ୍କ ପିଲାମାନେ ପଢିବେ ବୋଲି ଅଭିଭାବକମାନେ ପ୍ରକାଶ କରିବା ସହ ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ଯଦି ଏହା ନ ହୁଏ, ତେବେ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଦ୍ୟାଳୟର ଚେୟାରମ୍ୟାନ୍‌ ଅନୁସୟା ମହାପାତ୍ର, ପ୍ରମିଳା ମହାପାତ୍ର, ମଧୁସ୍ମିତା ମହାପାତ୍ର, ସରୋଜିନୀ ମହାପାତ୍ର, ଶୈଳବାଳା ମହାପାତ୍ର, ରେଣୁଭାଳା ମହାପାତ୍ର, ସୌଦାମିନୀ ମହାପାତ୍ର, କାଞ୍ଚନବାଳା ମହାପାତ୍ର, ମଞ୍ଜୁଲତା ମହାପାତ୍ର, ଜୋତ୍ସ୍ନାରାଣୀ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ମୁରଲୀପାଣି ମିଶ୍ର, ସୁକାନ୍ତ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଏହି ବିଦ୍ୟାଳୟ ବହୁ ପୁରୁଣା। ଏଠାରୁ ଗେଲପୁର ଉଚ୍ଚ ବିଦ୍ୟାଳୟ ପ୍ରାୟ ୨ କିଲୋମିଟର ଦୂର ହୋଇଥିବାବେଳେ ବାରେଡିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ ୩ କିଲୋମିଟର ଦୂର। ତେଣୁ ଏହି ବିଦ୍ୟାଳୟ ବନ୍ଦ ହୋଇଗଲେ ଛୋଟ ପିଲାମାନେ ଏତେ ଦୂର ଯାଇପାରିବେ ନାହିଁ। ତେଣୁ ଏହି ଆଦେଶ ପ୍ରତ୍ୟାହାର କରି ବିଦ୍ୟାଳୟରେ ପଢା ଚାଲୁ ରଖିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୯ ଛାତ୍ରୀଛାତ୍ର ପଢୁଛନ୍ତି। ଆଉ ୧୦ ଜଣ ପିଲା ଉକ୍ତ ବିଦ୍ୟାଳୟରେ ନାମ ଲେଖାଇବେ। ତେଣୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ ପୂରଣ ହେବାକୁ ଥିବାରୁ ଏହା ଉପରେ ପୁନର୍ବିଚାର କରିବାକୁ ଅଭିଭାବକମାନେ କହିଛନ୍ତି।

Share