Categories: ଅନୁଗୋଳ

ବିଦ୍ୟୁତୀକରଣ ଯୋଜନା ପ୍ରହସନ: ଖୁଣ୍ଟ ପୋତାରେ ଅଟକିଛି ସଂଯୋଗ

ବଅଁରପାଳ, ୨୫।୮ (ଡି.ଏନ୍‌.ଏ) – ଗରିବ ଲୋକଙ୍କୁ ରିହାତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜୀବ ଗାନ୍ଧୀ ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାର ସୁଫଳ ପାଇପାରୁନାହାନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଗୋଚ୍ଛାୟତସାହି ବାସିନ୍ଦା। ବର୍ଷେରୁ ଅଧିକ ଦିନ ହେଲାଣି ଗ୍ରାମରେ ଖୁଣ୍ଟ ପୋତିଦେଇ କାମ ସାରି ଦେଇଛି ବିଭାଗ। ଫଳରେ ସାହିର ହିତାଧିକାରୀମାନେ ବିଦ୍ୟୁତ୍‌ ସଂଯୋଗରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇରହିଛନ୍ତି।
ସାହିବାସୀଙ୍କ ଅଭିଯୋଗ ମୁତାବକ, ବ୍ଲକଠାରୁ ମାତ୍ର ୨ କିମି ଦୂରରେ ଥିବା ଗୋତମରା ଗ୍ରାମ ପ୍ରଶାସନିକ ଅବହେଳାର ଶିକାର ହୋଇଆସୁଛି। ରିହାତିରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବାକୁ କହି ବର୍ଷେ ତଳେ ଗ୍ରାମରେ ଖୁଣ୍ଟ ପୋତାଯାଇଥିଲା। ଏଥିରେ ସାହିର ପ୍ରାୟ ୨୦ ହିତାଧିକାରୀ ପରିବାରକୁ ସାମିଲ କରାଯାଇଥିଲା। ଏପରିକି ଘରେ ଓ୍ବେୟାରିଂ ମଧ୍ୟ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ଦିଆଯାଇପାରିଲା ନାହିଁ। ଫଳରେ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ ସାମଗ୍ରୀ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲାଣି।

 

ବିଦ୍ୟୁତ ଯୋଗାଣ ହୋଇପାରି ନ ଥିବାରୁ ସେମାନେ ଅନ୍ଧାରରେ ଦିନ କାଟୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଏ ସମ୍ପର୍କରେ ବିପିଏଲ୍‌ ହିତାଧିକାରୀ ଦୁତୀ ଗୋଚ୍ଛାୟତ, କୁଶ ଗୋଚ୍ଛାୟତ, ପୁଷ୍ପ ଗୋଚ୍ଛାୟତ ପ୍ରମୁଖ କୁହନ୍ତି, ସାହିରେ ୧ ବର୍ଷ ହେଲା କେବଳ ବିଦ୍ୟୁତ ତାର ଟଣା ହୋଇଛି। ଆଜି ପର୍ଯ୍ୟନ୍ତ ଘରେ ବିଦ୍ୟୁତ୍‌ ଦେଖିପାରିଲୁ ନାହିଁ। ଗ୍ରାମର କୌଣସି ହିତାଧିକାରୀମାନଙ୍କୁ ସଂଯୋଗ ଦିଆଯାଇନାହିଁ। କେବଳ ଘରେ ଘରେ ବିଦ୍ୟୁତ ସାମଗ୍ରୀ ସହ ମିଟର ଖଞ୍ଜି ଦେଇ ବିଭାଗ କାମ ସାରିଦେଇଛି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ନ ଦିଆଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସାହିବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବଅଁରପାଳ ସେସୁ କନିଷ୍ଠ ଯନ୍ତ୍ରୀ ଅନନ୍ତ ଦେହୁରୀ କହିଛନ୍ତି, ସେଠାରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ମାସେ ମଧ୍ୟରେ ହିତାଧିକାରୀଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ।