ବିଦ୍ୟୁତ୍‌ତାର ଲାଗି ୨ ଗୋରୁଙ୍କ ଜୀବନ ଗଲା, ଅଳ୍ପକେ ବର୍ତ୍ତିଲେ ଚାଷୀ, ଘଟଣାସ୍ଥଳରେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ନୀଳଗିରି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରକୁ ଶେରଗଡ଼ ଆଡୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ତାର ବୁଧବାର ବାତ୍ୟାରେ ଓହଳି ପଡ଼ିଥିଲା। ଗୁରୁବାର ବିଦ୍ୟୁତ୍‌ ବିଭାଗ ଯାଞ୍ଚ ନ କରି ବିଦ୍ୟୁତ୍‌ ସଂଯୋଗ ଦେଇଥିଲା। ଫଳରେ ନୀଳଗିରି ସୀମାନ୍ତ ସିମୁଳିଆରେ ଦୁଇଟି ଗୋରୁଙ୍କ ଜୀବନ ଚାଲି ଯାଇଥିବାବେଳେ ଜଣେ ଚାଷୀ ବର୍ତ୍ତି ଯାଇଛନ୍ତି।
ପୂର୍ବରୁ ଓଲଡଙ୍ଗା ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ୬ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳି ନ ଥିବା ବେଳେ ଆଜି ପୁଣି ଏଭଳି ଅଘଟଣ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନୀଳଗିରି ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି। ଯେ ପର୍ଯ୍ୟନ୍ତ କ୍ଷତିପୂରଣ ନ ମିଳିଛି ସେ ପର୍ଯ୍ୟନ୍ତ କାମ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି।