ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): କଟକ ଜିଲା ବାଙ୍କୀର ନାବାଳକ ଶଙ୍କର ନାୟକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଫେବୃୟାରୀ ମାସରେ ଏହି ମାମଲାର ବିଚାର କରି କମିଶନ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇନାହିଁ। ଏ ନେଇ କମିଶନ ବିରକ୍ତି ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ’ଣ ପାଇଁ କ୍ଷତିପୂରଣ ଦିଆଯାଇ ନାହିଁ ଏବଂ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂକ୍ରାନ୍ତରେ ଜଣାଇବା ପାଇଁ ଶକ୍ତି ସଚିବଙ୍କୁ ରିପୋର୍ଟ ମାଗିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ମେ ୧୩ରେ ଶଙ୍କର ଶୌଚ ପାଇଁ ବିଲକୁ ଯାଇଥିବାବେଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରି ଦିଲୀପ କୁମାର ଦାଶ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ।

Share