ବିଦ୍ୟୁତ୍‌ ଆଘାତରେ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

ବାସୁଦେବପୁର, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ହାବେଳିସାହୀ ନିକଟରେ ଗୁରୁବାର ରାତିରେ ଏକ ଟ୍ରକ୍‌ରୁ ବାଲି ଅନ୍‌ଲୋଡ଼ ହେଉଥିଲା। ଏହି ସମୟରେ ନିକଟଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଟ୍ରକ୍‌ ଡ଼ାଲାରେ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ହେଲ୍‌ପର ସରୋଜ ବେହେରା(୨୩)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଘର ସିମୁଳିଆ ଥାନା ଅଧୀନ ବାଲିଗୁଡ଼ା ଗ୍ରାମରେ। ଡ୍ରାଇଭର ପ୍ରଦୀପ ନାଏକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାସୁଦେବପୁରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ଘର ସିମୁଳିଆ ଥାନା ଅଧୀନ ରିଆ ଗ୍ରାମରେ ବୋଲି ଜଣାପଡ଼ିଛି। ସରୋଜଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି।