Categories: ଗଞ୍ଜାମ

ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର ଯୋଗେନ୍ଦ୍ର ନାୟକ (୨୭)। ଯୋଗେନ୍ଦ୍ର ଶନିବାର କୁଡୁତାଇ ସୋସାଇଟି ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ପିଙ୍କିଙ୍କ ଅଭିଯୋଗ ପ୍ରକାରେ, ଯୋଗେନ୍ଦ୍ରଙ୍କୁ ସାଉଥ୍‌କୋର ଜଣେ କର୍ମଚାରୀ ନେଇ କାର୍ଯ୍ୟରେ ଲଗାଇଥିଲେ। ସକାଳେ ଯୋଗେନ୍ଦ୍ର ଖୁଣ୍ଟରେ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ହେବାରୁ ତଳେ ପଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ସହ କ୍ଷତିପୁରଣ ଦେବାପାଇଁ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଘଟଣା ସମ୍ପର୍କରେ ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲିଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ମତାମତ ନିଆଯାଇ ପାରିନାହିଁ। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ମିଶ୍ରଙ୍କୁ ମଧ୍ୟ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଫଳରେ ପୋଲିସର ମତାମତ ନିଆଯାଇ ପାରିନାହିଁ। ଏ ନେଇ ସାଉଥ୍‌କୋ ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯୋଗେନ୍ଦ୍ର ସାଉଥ୍‌କୋ କର୍ମଚାରୀ ନୁହଁନ୍ତି । ତାଙ୍କର କିପରି ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଏ ନେଇ ସରକାରୀ ଭାବେ ଆମ ପାଖରେ କୌଣସି ଖବର ନାହିଁ ।