Categories: ମେଟ୍ରୋ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଲାଇନ୍‌ମ୍ୟାନ୍‌ଙ୍କ ଜୀବନ ଗଲା

ପୁରୀ ଅଫିସ୍‌,୧୭।୫ : ପୁରୀ ଟାଉନ୍‌ ଥାନା ଅଧୀନ ପୁରୁଣା ସଦର ଥାନା ଛକରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ୧୧ କେ.ଭି. ତାର ସଜାଡ଼ୁଥିବା ବେଳେ ଗୁରୁବାର ରାତିରେ ଖୁଣ୍ଟରୁ ପଡ଼ି ଜଣେ ଲାଇନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେସୁର ଲାଇନ୍‌ ମ୍ୟାନ୍‌ ପିପିଲି ଦାଣ୍ଡମୁକୁନ୍ଦପୁରର ପବିତ୍ର ଜେନା(୩୦)। ମିଳିଥିବା ସୂଚନାନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟାରେ ପବିତ୍ର ତାର ସଜାଡ଼ୁଥିବା ସମୟରେ ଅନ୍ୟପଟୁ ହଠାତ୍‌ ଲାଇନ୍‌ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଖୁଣ୍ଟରୁ ତଳକୁ ଖସିପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଲାଇନ୍‌ ମ୍ୟାନ୍‌ଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ସହ ସେଠାରେ ପୋଲିସ ମୁତୟନ ରହିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ କେଉଁ ପରିସ୍ଥିତିରେ ଓ କିଏ ଲାଇନ୍‌ ଚାର୍ଜ କରିବାକୁ ଅନୁମତି ପ୍ରଦାନ କରିଥିଲେ, ତାହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି। ସେହିଭଳି ବିଳମ୍ବିତ ରାତିରେ ବିଦ୍ୟୁତ୍‌ ତାର ସଜାଡ଼ିବାକୁ କିଏ ଅନୁମତି ଦେଇଛି, ତାହାର ମଧ୍ୟ ତଦନ୍ତ କରାଯିବାକୁ ଦାବି ହୋଇଛି। ସୂଚନାଥାଉ କି, ଗତ ଦୁଇଦିନ ତଳେ ମଧ୍ୟ ଭିଆଇପି ରୋଡ୍‌ରେ ବିଦ୍ୟୁତ୍‌ ଖୁଣ୍ଟ ସଜାଡ଼ୁଥିବା ବେଳେ ଖୁଣ୍ଟରୁ ପଡ଼ି ଜଣେ ଲାଇନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଥିଲା।

Share