ବିଦ୍ୟୁତ୍‌ ତାର ବିଛାଇ ଦନ୍ତାହାତୀ ଶିକାର

ଅମରପାଲି, ୨୦-୧୧ (ଡି.ଏନ.ଏ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର କରାଯାଇଛି। ଶିକାର ପରେ ହାତୀର ଦାନ୍ତକୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଦନ୍ତାକୁ ପ୍ରାୟ ୭ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ବାର୍‌ହା ଶିକାର ପାଇଁ ୧୧କେଭି ଲାଇନ୍‌ରୁ ଜେଇ ତାର ଲଗାଇ ବାର୍‌ହା ଶିକାର କରାଯାଉଥିବା ବେଳେ ଏଥିରେ ଲାଗି ହାତୀର ମୃତ୍ୟୁ ହୋଇଛି। ଠେଙ୍ଗୋ ଡ୍ୟାମକୁ ଯାଇଥିବା ମୁଖ୍ୟ ରାସ୍ତାରୁ ସାରସଦାଦର ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତାରୁ ପ୍ରାୟ ୧୦୦ ମିଟର ଦୂରରେ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତଦନ୍ତା ପଡିଥିବା ସ୍ଥାନରେ ଏକ ପୋଖରୀ ଅଛି। ସେହି ଅଞ୍ଚଳ ଦେଇ ସୁନାପାଲି, ସାରସଦାଦର ଓ ସାଗଯୋରୀ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ପୋଖରୀକୁ ପାଣି ପିଇବାକୁ ବାର୍‌ହାମାନେ ଆସୁଥିବାରୁ ଶିକାର ଉଦ୍ଦେଶ୍ୟରେ ତାର ବିଛା ଯାଇଥିଲା। ଏବେ ଫସଲ ଅମଳ ସମୟ ହୋଇଥିବାରୁ ହାତୀପଲ ଆସି ଉକ୍ତ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିଲେ। ବିଭିନ୍ନ ସମୟରେ ବନବିଭାଗ ଗ୍ରାମବାସୀଙ୍କ ସହ ମିଶି ହାତୀ ଘଉଡାଉଥିଲେ। ଉକ୍ତ ଦନ୍ତାହାତୀ ପଲରୁ ଅଲଗା ହୋଇ ଉକ୍ତ ଅଞ୍ଚଳକୁ ଆସି ନିକଟସ୍ଥ ପୋଖରୀକୁ ପାଣି ପିଇବା ପାଇଁ ଯାଉଥିବା ବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

Share