Categories: ଗଞ୍ଜାମ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୪ ମଇଁଷି ମୃତ, ଚାଷୀଙ୍କୁ ୪ କ୍ଷତିପୂରଣ ଦେବାକୁ ଦାବି

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ବାହୁଦା ନଦୀପଠାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଶନିବାର ୪ ମଇଁଷିଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ୧ଟାରେ ଗୌଡ଼ଗାଁ ନୂଆସାହିର ଭଆଳି ଗୌଡ଼ଙ୍କ ମଇଁଷି ଗୋଠ ଘାସ ଚରିବାକୁ ଯାଉଥିଲେ। ନଦୀପାର୍ଶ୍ୱ ରାସ୍ତାକଡ଼ରେ ଉଠା ଜଳସେଚନ ପ୍ରକଳ୍ପକୁ ସଂଯୋଗ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଏଲ୍‌ଟି ଲାଇନ୍‌ ତାର ଓହଳି ରହିଥିଲା। ଗୋଠରେ ଯାଉଥିବା ୪ଟି ମଇଁଷି ସାନକେଳାଝରୀ ଗାଁ ରାସ୍ତାକଡ଼ର ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ବାତ୍ୟା ‘ଫନୀ’ ପରଠାରୁ ଉକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ତାରଟି ଓହଳି ରହିଥିଲେ ସୁଦ୍ଧା ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ। ଫଳରେ ଏଭଳି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ମଇଁଷିପାଳନ କରି ଜୀବିକା ନିର୍ବାହ କରୁଥିବା ଅସହାୟ ଚାଷୀ ଭଆଳିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଦାବି କରିଛନ୍ତି। ଏ ନେଇ ସେ ସ୍ଥାନୀୟ ତହସିଲଦାର ଏବଂ ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରିଥିବା କହିଛନ୍ତି।