ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହନୁମାନ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରବିବାର ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଜଣାପଡିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଜୟନଗର ଗ୍ରାମର ବୁଲୁ ନାହାକ।
ସୂଚନାନୁଯାୟୀ, ନିର୍ମାଣାଧିନ ଘରର ଛାତ ପକାଯିବା ଲାଗି ମଧ୍ୟାହ୍ନରେ ସେଣ୍ଟ୍ରିଂ କାମ ଚାଲିଥିଲା। ସେହି ସମୟରେ ଅସାବଧାନତା କାରଣରୁ ଛାତ ଉପର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ବୁଲୁ ଧରିଥିବା ଲୁହାଛଡ଼ ଆସିଯାଇଥିଲା। ଫଳରେ ସେ ଛିଟିକି ପଡ଼ିଥିଲେ। ହେଲେ ନିଆଁ ପଡ଼ିଯିବାରୁ ତାଙ୍କ ଶରୀରର ୪୦ ପ୍ରତିଶତ ଜଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।