ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ପୁଅ, ବାପା ଫେରାର

ରୂପ୍‌ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍‌ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୩/୨୦) ରୁଜୁ କରାଯାଇ ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ବସ୍ତା ବିଦ୍ୟୁତ୍‌ ବିଭାଗ ଜେଇ ବାଗ ଏକ ଟିମ୍‌ ସହ ଶ୍ରୀରାମପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଅଫିସ କାର୍ଯ୍ୟରେ ଯାଇଥିଲେ। କ୍ଷୀରଂ ଗ୍ରାମର ଉପଭୋକ୍ତା ସଞ୍ଜୟ କୁମାର ଦାସ ବିଦ୍ୟୁତ ଖୁଣ୍ଟିରୁ ବେଆଇନ୍‌ ବିଦ୍ୟୁତ ସଂଯୋଗ କରିଥିବା ଦେଖି ସେ ମୋବାଇଲରେ ଚିତ୍ର ଉତ୍ତୋଳନ କରି ଫେରୁଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସଞ୍ଜୟ ଓ ତାଙ୍କ ପୁଅ ରାମକୃଷ୍ଣ ହଳଦୀପାଳ ବଜାରରେ ଜେଇଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ମରଣାନ୍ତକ ଆକ୍ରମଣ ସହ ହତ୍ୟା ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ତଦନ୍ତ ଅଧିକାରୀ ଏଏସ୍‌ଆଇ ଚିତ୍ତରଞ୍ଜନ ମହାନ୍ତି ଚଢ଼ାଉ କରି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଥିବାବେଳେ ବାପା ସଞ୍ଜୟ ଫେରାର ହୋଇଯାଇଥିବା ଜଣାପଡ଼ିଛି।