Categories: ରାଜ୍ୟ

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଢେଙ୍କାନାଳ ଅଫିସ, ୩୦।୫: ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳବାସୀ। ଅନବରତ ୧୨ ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ପରେ ଅସହ୍ୟ ଗରମରେ ସନ୍ତୁଳି ହେଉଥିବା ଉତ୍ତ୍ୟକ୍ତ ଉପଭୋକ୍ତା ବୁଧବାର ରାତି ୮ଟାରୁ ୫୫ନଂ. ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତାରୋକୋ ଜାରି ରହିଥିବାବେଳେ ଶତାଧିକ ଯାନବାହନ ଅଟକି ରହିଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌କାଟ କରାଯାଉଛି। ବୁଧବାର ପୂର୍ବାହ୍ନ ୮ଟାରୁ ସଦାଶିବପୁର, ଝାରଗାଡିଆ, ଟୁବିନାଳି, ବଡ଼ବଉଳପୁର, ସାନବଉଳପୁର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏ ନେଇ ସେସୁ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ହେଲେ ସମସ୍ୟା ସମାଧାନ ପରିବର୍ତ୍ତେ ବିଭାଗୀୟ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରିବାକୁ ତତ୍ପରତା ପ୍ରକାଶ ପାଇଲାନାହିଁ। ଏହାର ପ୍ରତିବାଦରେ ଝାରଗାଡ଼ିଆ ଛକରେ ରାସ୍ତା ଅବରୋଧ କରାଯାଇଥିଲା। ଅଞ୍ଚଳରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ତାପମାତ୍ରା ବୃଦ୍ଧି ଚିନ୍ତାଜନକ ହୋଇଛି। ଏପରିସ୍ଥିିତିରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିନା ସୂଚନାରେ ବିଦ୍ୟୁତ୍‌କାଟ କରାଯିବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ରାସ୍ତାରୋକୋ ସମ୍ପର୍କରେ ଏ ସେସୁ କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନାହିଁ। ଖବର ଲେଖାଯିବା ସୁଦ୍ଧା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ନାହିଁ। ରାସ୍ତାରୋକୋ ଯୋଗୁ ଯାତ୍ରୀମାନେ ଅଟକି ରହିଛନ୍ତି। ଏ ସମ୍ପର୍କରେ ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର କୁହନ୍ତି, ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିଲା। ଖବର ମିଳିବା ପରେ ସେ ଏ ନେଇ ଅନୁଧ୍ୟାନ କରୁଥିବା କହିଥିଲେ।

Share