Categories: ଗଞ୍ଜାମ

ବିଦ୍ୟୁତ୍‌ ବିଲ୍‌ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପ:  ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କନିଷି,୧୨ା୯(ଡି.ଏନ.ଏ.)-ବ୍ରହ୍ମପୁର ସାଉଥ୍‌କୋ ୟୁଟିଲିଟି ଅଧୀନ କନିଷି ସବଡିଭିଜନର ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଦ୍ୟୁତ୍‌ ବିଲ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଆଗାମୀ ଦିନରେ ସମାଧାନ, ମହିଳାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
୨୦୦୨ରୁ ପ୍ରଜ୍ଞା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କନିଷି ଅଞ୍ଚଳରେ ଅଙ୍କିତା ସାହୁ ବିଦ୍ୟୁତ୍‌ ବିଲ୍‌ ଆଦାୟ କରୁୁଥିଲେ। ବର୍ତ୍ତମାନ ଆର୍‌ସିଏସ୍‌ ମାଧ୍ୟମରେ କାମ କରିବାକୁ ସାଉଥ୍‌କୋ ଅର୍ଡର କରିବାରୁ କନିଷି ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓଙ୍କ ନିକଟରେ ଗତ ଜୁଲାଇ ୩୦ରେ କନିଷି ସେକ୍ସନ୍‌ ଆର୍‌ସିଏସ୍‌ ନେବା ପାଇଁ ଆବେଦନ କରିଥିଲେ। କନିଷି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପତ୍ର ନଂ. ୧୦୪, ତା. ୨୮ା୮ା୨୦୧୯ରେ ଏସ୍‌ଡିଓ ପକ୍ଷରୁ ଚିଠି ନଂ. ୧୪୪୬/୪, ଗତ ଅଗଷ୍ଟ ୨୮ ତାରିଖ ପ୍ରକାରେ ପ୍ରଜ୍ଞା ମହିଳା ଗୋଷ୍ଠୀକୁ ୩ ଲକ୍ଷ ଟଙ୍କା ବିଭାଗରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନେ ଗତ ଅଗଷ୍ଟ ୩୦ରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୩ ଲକ୍ଷ ଟଙ୍କା ସାଉଥକୋ ଏକାଉଣ୍ଟ ନଂ. ୩୫୬୧୫୯୧୯୮୦୨ରେ ଜମା କରିଥିଲେ। ଉକ୍ତ ଜମା ଟଙ୍କାକୁ ନେଇ କନିଷି ସବ୍‌ଡିଭିଜନ ଏସ୍‌ଡିଓଙ୍କ ଚିଠି ନଂ. ୩୮୫, ତା. ୪ା୯ା୨୦୧୯ରେ ଏକଜିକ୍ୟୁଟିଭ୍‌ ଇଞ୍ଜିନିୟର ବ୍ରହ୍ମପୁର-୩ ଡିଭିଜନକୁ ୫ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ କନିଷି ସେକ୍ସନ ଆର୍‌ସିଏସ୍‌ ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ଏହା ମଧ୍ୟରେ ଅନ୍ୟ ୩ଟି ମହିଳା ସଂଘ ରାଜନୈତିକ ଚାପ ପ୍ରୟୋଗ କରି ପ୍ରଜ୍ଞା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ବର୍ତ୍ତମାନ ଆର୍‌ସିଏସ୍‌ ଖୋଲିବାକୁ ବିଭାଗୀୟ ଆଦେଶ ଦେଉନାହନ୍ତି। ଫଳରେ ନିଷ୍ପତ୍ତି ଅଟକି ରହିଛି । ଏ ନେଇ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି। ଉପଯୁକ୍ତ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ବିଶ୍ୱରଞ୍ଜନ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଘଟଣା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଯାଇଛି ବୋଲି କହିଛନ୍ତି।