ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ ଲାଗି ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଲ୍‌ ପଇଠ କରି ଭଦ୍ରକର କାର୍ତ୍ତିକ ନାଥ ଏବେ ଚର୍ଚ୍ଚାରେ। ଭିକ୍ଷା ମାଗି ପରିବାର ଚଳାଉଥିବା କାର୍ତ୍ତିକ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିଲାଗି ନେସ୍କୋ ପକ୍ଷରୁ ତାଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି। ନେସ୍କୋର ବରିଷ୍ଠ ଅଧିକାରୀମାନେ ତାଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ଭଦ୍ରକ ସଲିଲପୁର ଗାଁର କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ୮ ଜଣିଆ ପରିବାର ପ୍ରତିପୋଷଣ କରିଥାନ୍ତି। କାର୍ତ୍ତିକଙ୍କର ଅଢେଇ ହଜାର ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲା। ବିଦ୍ୟୁତ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ଏକାଠି କରି ବିଦ୍ୟୁତ କାର୍ଯ୍ୟାଳୟରେ ଜମା କରଥିଲେ।

Share