ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍‌ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି ଅଞ୍ଚଳକୁ ପମ୍ପ ଯୋଗେ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ ସୋମବାର ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ଥାନା ଆଇଆଇସି ସୁଶାନ୍ତ ଦାଶ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିଥିଲେ। ପିଏଚଡି ପାନୀୟ ଜଳଯୋଗାଣ ଟାଙ୍କି ପହଞ୍ଚିଥିଲା। ତଥାପି ଲୋକେ ଆନ୍ଦୋଳନରୁ ହଟି ନ ଥିଲେ। ନିରବଚ୍ଛିନ୍ନ ଭାବେ ପାନୀୟ ଜଳଯୋଗାଣ ନିମନ୍ତେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ଦାବି କରିଥିଲେ। ପୌରନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଦାବି ପୂରଣ ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ।

ପିଏଚଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ନିମନ୍ତେ ସ୍ଥାନୀୟ ଏକ ଘରୋଇ କମ୍ପାନୀ ଦ୍ୱାରା ଗଭୀର ନଳକୂପ ଖନନ ହୋଇଛି। ଏହି ଗଭୀର ନଳକୂପରୁ ପମ୍ପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ବିଦ୍ୟୁତ୍‌ ସଂଯୋଗ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଗଠିତ କମିଟିକୁ କମ୍ପାନୀ ହସ୍ତାନ୍ତର କରିଛି। ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବା ଯୋଗୁ ପମ୍ପ ଯୋଗେ ପାନୀୟ ଜଳଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ସଙ୍କଟ ନେଇ ପ୍ରଶାସନର ଦୃଷ୍ଟିଆକର୍ଷଣ କରିବାକୁ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ। ମହିଳାମାନେ ହାଣ୍ଡି, ବାଲ୍‌ଟି ଧରି ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଥିଲେ। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ କାହ୍ନୁଚରଣ ସର୍ଦ୍ଦାର  କହିଛନ୍ତି ଯେ, ଦୈନିକ ପାଣି ପମ୍ପ ଚଳାଇବାକୁ ବିଦ୍ୟୁତ୍‌ ବ୍ୟବହାର କରାଯାଉଥିଲେ ହେଁ ବିଜୁଳି ଦେୟ ବକେୟା ରହିଛି। ଏଥିପାଇଁ ଗତ ୧୫ ଦିନ ତଳେ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ବକେୟା ୩୦ ହଜାର ଟଙ୍କା ଜମା ହେବା ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

Share