ଟାଙ୍ଗୀ(ଖୋର୍ଦ୍ଧା)/ଚିଲିକା,୧୮।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍ ହରିପୁର ଗ୍ରାମପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମରେ ଗୁରୁବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୃତା ମହିଳା ହେଲେ ସୁଜ୍ଞାନୀ ପଟ୍ଟନାୟକ(୨୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ବାଣପୁର ଥାନାରେ ରୁଜୁ ହୋଇଛି ।
ପ୍ରକାଶ ଯେ, ବାଲିଆ ଗ୍ରାମର ସୁବୋଧ ଦାସଙ୍କ ଝିଅ ସୁଜ୍ଞାନୀ ଗତ ୨୦୧୨ ମସିହାରେ ଗଙ୍ଗାଧରପୁର ଗ୍ରାମର ରଘୁନାଥ ପଟ୍ଟନାୟକଙ୍କ ପୁଅ ରବୀନ୍ଦ୍ରଙ୍କୁ ବିବାହ କରିଥିଲେ । ରବୀନ୍ଦ୍ର କର୍ମସଂସ୍ଥାନ ପାଇ ବିଦେଶରେ ରହୁଛନ୍ତି ।ସେମାନଙ୍କର ୬ବର୍ଷର ପୁଅ ଅଛି । ଗୁରୁବାର ସକାଳେ ଘରେ ଟାଙ୍କିକୁ ପାଣି ଉଠାଇବା ପାଇଁ ସୁଜ୍ଞାନୀ ମୋଟର ସୁଇଚ୍ ମାରିଥିଲେ। ମାତ୍ର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଟାଙ୍ଗୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।