Categories: ରାଜ୍ୟ

ବିଦ୍ୟୁତ୍‌ ସେବାରୁ ବଞ୍ଚିତ ୧୯ ପରିବାର: ତାର ଟଣାଯାଇ ଘରେ ମିଟର, ବୋର୍ଡ ବସାଯାଇଛି

ଗଣିଆ,୧୨ା୭(ଡି.ଏନ.ଏ.): ପ୍ରତି ଘରକୁ ବିଜୁଳି ଓ ପାଣି ଯୋଗାଣ ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟବରାଦ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ଜନସାଧାରଣ ଏଭଳି ଲୋକାଭିମୁଖୀ ଯୋଜନାର ସୁଫଳ ପାଇପାରୁନାହାନ୍ତି। କେଉଁଠି ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଛି ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ବିଦ୍ୟୁତ୍‌ ସଂଯୋଗ କରାଯାଉନାହିଁ। ଗଣିଆ ବ୍ଲକ ଅଫିସଠାରୁ ମାତ୍ର ୫ କିଲୋମିଟର ଦୂର ରାସଙ୍ଗ ପଞ୍ଚାୟତର ବସନ୍ତପୁର ଗ୍ରାମରେ ରହୁଥିବା ୧୯ ପରିବାର ପ୍ରାୟ ୧ବର୍ଷ ଧରି ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶକ୍ରମେ ବସନ୍ତପୁର ଗ୍ରାମର ୧୯ ପରିବାରକୁ ନୂତନ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଏନ୍‌ଟିପିସି ତରଫରୁ ଗତବର୍ଷ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେପ୍ଟେମ୍ବର ୨୦୧୮ ସୁଦ୍ଧା ପ୍ରତ୍ୟେକଙ୍କ ଘରେ ବିଦ୍ୟୁତ୍‌ ମିଟର, ବୋର୍ଡ, ସୁଇଚ୍‌ ଆଦି ଲଗାଇବା କାର୍ଯ୍ୟ ଶେଷହୋଇଥିଲା। ଏପରି କି ୨୫କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଇ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ନିମିତ୍ତ ତାର ଟଣାଯାଇଛି। ହେଲେ ଟ୍ରାନ୍ସଫର୍ମରକୁ ଚାର୍ଜ କରାଯାଉ ନ ଥିବାରୁ ହିତାଧିକାରୀମାନେ ବିଦ୍ୟୁତ୍‌ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି ଗ୍ରାମର ନିରୁପମା ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବିଦ୍ୟୁତ୍‌ ସଂଯୋଗ ନ ଥାଇ ହିତାଧିକାରୀଙ୍କଠାରୁ ଶୁଳ୍କ ଆଦାୟ ପାଇଁ କର୍ମଚାରୀମାନେ ଯାଇଥିବା ଗ୍ରାମର ସଞ୍ଜୁ ନାୟକ କହିଛନ୍ତି। ଏ ସମ୍ପର୍କରେ ଗଣିଆ ବ୍ଲକ ସେସୁ ବିଭାଗ କନିଷ୍ଠଯନ୍ତ୍ରୀ ଜ୍ଞାନରଞ୍ଜନ ସାହୁଙ୍କୁ ପଚାରିବାରୁ ଏହି ନିର୍ମାଣ କାର୍ଯ୍ୟ ଏନ୍‌ଟିପିସି ହାତକୁ ନେଇଥିଲା ା ତେଣୁ ଉକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ସେ କହିଥିଲେ ା

Share